ପଶ୍ଚିମବଙ୍ଗ: ସମୁଦ୍ରରେ ଗାଧୋଇବା ହେଲା କାଳ। ଉଚ୍ଚ ଢେଉରେ ଭାସିଗଲେ ଗୋଟିଏ ପରିବାରର ୩ ଜଣ। ପଶ୍ଚିମବଙ୍ଗର ମନ୍ଦାରମଣି ସମୁଦ୍ରରେ ଘଟିଛି ଏହି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଦାଦା, ଖୁଡ଼ି ଓ ୧୦ ବର୍ଷର ଶିଶୁପୁତ୍ର ଭାସିଯାଇଥିଲେ। ଉଦ୍ଧାର ପରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦାଦା ଓ ଖୁଡ଼ି ଏବେ ମଧ୍ୟ ନିଖୋଜ ଅଛନ୍ତି।
ନିଖୋଜ ଦମ୍ପତି ହେଲେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଶାନ୍ତିପୁରର ସୁମନ ଶିଲ ଓ ତାଙ୍କ ପତ୍ନୀ ବୃଷ୍ଟି ଶିଲ। ସୂଚନା ଅନୁସାରେ, ଗତକାଲି ସୁମନ ଓ ବୃଷ୍ଟି ତାଙ୍କ ୧୦ ବର୍ଷର ପୁତୁରାଙ୍କୁ ସାଙ୍ଗରେ ନେଇ ଶାନ୍ତିପୁରରୁ ଦିଘା ବୁଲିବାକୁ ଆସିଥିଲେ। ପରେ ସେମାନେ ମନ୍ଦାରମଣି ଯାଇଥିଲେ। ମନ୍ଦାରମଣି ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍ ଉଚ୍ଚ ଢେଉ ଆସିବାରୁ ତିନିଜଣ ଭାସିଯାଇଥିଲେ। ଘଟଣା ପରେ ଉଦ୍ଧାରକାରୀ ଦଳ ଖୋଜାଖୋଜି କରି ଶିଶୁକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଶିଶୁର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ସୁମନ ଓ ବୃଷ୍ଟିଙ୍କର କୌଣସି ସନ୍ଧାନ ମିଳିନାହିଁ। ନିଖୋଜ ଦମ୍ପତିଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଅଭିଯାନ ଜାରି ରହିଛି। ସମୁଦ୍ରରେ ଉଚ୍ଚ ଢେଉ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେମାନଙ୍କ ସନ୍ଧାନ କରାଯାଉଛି।













Leave a Reply