ଅକ୍ଷର ବ୍ୟୁରୋ: ବଢ଼ୁଥିବା ପରିବେଶ ପ୍ରଦୂଷଣ ଓ ଅସନ୍ତୁଳିତ ଜଳବାୟୁ ପରିସ୍ଥିତି ମଧ୍ୟରେ ବୃକ୍ଷରୋପଣ ଓ ବୃକ୍ଷର ସୁରକ୍ଷା ହିଁ ପରିବେଶକୁ ବଞ୍ଚାଇବାର ଏକମାତ୍ର ପଥ ବୋଲି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତରେ ମତ ପ୍ରକାଶ ପାଇଛି। ପରିବେଶ ସୁରକ୍ଷା ଓ ସବୁଜ ଓଡ଼ିଶା ଗଠନର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ପ୍ରେମୀ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଲୋକମାନେ ସାମିଲ ହୋଇ ସଚେତନତାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ତାପମାତ୍ରା ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟର ବୃଦ୍ଧି ପଛରେ ପରିବେଶର ଅସନ୍ତୁଳନ ଏକ ପ୍ରମୁଖ କାରଣ। ଏହି ପରିସ୍ଥିତିରୁ ମୁକ୍ତି ପାଇବାକୁ କେବଳ ବୃକ୍ଷରୋପଣ କଲେ ହେବ ନାହିଁ, ବରଂ ରୋପଣ କରାଯାଇଥିବା ଗଛର ନିୟମିତ ଯତ୍ନ ଓ ସୁରକ୍ଷା ମଧ୍ୟ ସମାନ ଭାବେ ଜରୁରୀ।
ପରିବେଶ ପଞ୍ଚାୟତରେ ବିଶେଷ ଭାବେ ନଦୀପଠା, ନାଳବନ୍ଧ, ଗୋଚର ଜମି ଓ ଅନ୍ୟାନ୍ୟ ଖାଲି ସରକାରୀ ଜମିରେ ବ୍ୟାପକ ବୃକ୍ଷରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା କେବଳ ପରିବେଶର ସନ୍ତୁଳନ ରକ୍ଷା କରିବ ନୁହେଁ, ଭୂତଳ ଜଳସ୍ତର ବୃଦ୍ଧି, ମୃତ୍ତିକା କ୍ଷୟ ରୋକିବା ଏବଂ ଜୈବ ବିବିଧତାର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
ଉପସ୍ଥିତ ପରିବେଶ ପ୍ରେମୀମାନେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୃକ୍ଷରୋପଣ ଅଭିଯାନ ସହ ଯୋଡ଼ିବା ଏବଂ ପରିବେଶ ସୁରକ୍ଷାକୁ ଏକ ସାମୂହିକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଜଣାଇଥିଲେ। ସେମାନେ ସବୁଜ ପରିବେଶ ଗଠନ ପାଇଁ ଏକାଠି କାମ କରିବା ସହ ଅଧିକରୁ ଅଧିକ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ। ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ପରିବେଶ ଛାଡ଼ିଯିବା ଲକ୍ଷ୍ୟରେ ଏଭଳି ପରିବେଶ ପଞ୍ଚାୟତ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ମତ ପ୍ରକାଶ ପାଇଛି।
















Leave a Reply