ଇରାନକୁ ଘେରିଲା ଆମେରିକା! ବିଶ୍ୱକୁ କଡ଼ା ଚେତାବନୀ, ବନ୍ଦ କର ତେହରାନ ସହ ବାଣିଜ୍ୟ

ଅକ୍ଷର ବ୍ୟୁରୋ: ଇରାନ ବିରୋଧରେ ଆମେରିକାର ବଡ଼ ଆର୍ଥିକ ଅଭିଯାନ । ଇରାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଶେଷ କରିବାକୁ ବିଶ୍ୱର ଦେଶ ଓ କମ୍ପାନିଗୁଡ଼ିକୁ କଡ଼ା ଚେତାବନୀ ଦେଇଛି ୱାସିଂଟନ୍ । ନିର୍ଦ୍ଧାରିତ ସମୟସୀମାରେ ଆମେରିକାର ନିର୍ଦ୍ଦେଶ ନମାନିଲେ ସମ୍ପୃକ୍ତ ଦେଶ ଓ ବିଦେଶୀ ସଂସ୍ଥା ଉପରେ କଠୋର ପ୍ରତିବନ୍ଧକ ଲଗାଯିବ ବୋଲି ଚେତାବନୀ ଦିଆଯାଇଛି ।

ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟଙ୍କ କହିବା ଅନୁଯାୟୀ, ଇରାନର ଆର୍ଥିକ ଜୀବନରେଖାକୁ କାଟିଦେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଇରାନ ଯେଉଁ ମାର୍ଗରେ ଅଶୋଧିତ ତୈଳ ବିକ୍ରି କରି ରାଜସ୍ୱ ସଂଗ୍ରହ କରୁଛି, ସେହି ନେଟୱାର୍କକୁ ଟାର୍ଗେଟ କରାଯାଉଛି । ଏହାର ଅଂଶ ଭାବେ ତୈଳ ଚୋରାଚାଲାଣ, କ୍ଷେପଣାସ୍ତ୍ର ବିକାଶ, ସାଇବର ଓ ପରମାଣୁ ନେଟୱାର୍କ ସହ ଜଡ଼ିତ ପ୍ରାୟ ୬୦ ଜଣ ବ୍ୟକ୍ତି, ଜାହାଜ ଓ କମ୍ପାନି ଉପରେ ନୂଆ କଟକଣା ଲଗାଯାଇଛି । ଆମେରିକାର ଟ୍ରେଜେରୀ, ଷ୍ଟେଟ୍ ଡିପାର୍ଟମେଣ୍ଟ ଓ ସାମରିକ ବାହିନୀର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଦେଶ ସହ ଆଲୋଚନା କରି ସନ୍ଦେହଜନକ ଆର୍ଥିକ କାରବାର ସମ୍ପର୍କରେ ସୂଚନା ଦେଉଛନ୍ତି । ଇରାନର ଅବୈଧ ଅର୍ଥ କାରବାରକୁ ସହାୟତା କରୁଥିବା ସଂସ୍ଥାକୁ ଡଲାର ବ୍ୟବସ୍ଥାରୁ ବାଦ୍ ଦିଆଯିବ ବୋଲି ମଧ୍ୟ ଆମେରିକା ପକ୍ଷରୁ ସତର୍କ କରାଯାଇଛି ।

ଅନ୍ୟପଟେ ଆମେରିକାର ଚେତାବନୀକୁ ଖାରଜ କରିଛି ଇରାନ । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ୍ ଏହାକୁ କେବଳ ଧମକ ବୋଲି କହିଛନ୍ତି । ଆମେରିକୀୟ ଚାପ ଆଗରେ ଇରାନର ବାଣିଜ୍ୟିକ ସହଯୋଗୀମାନେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସେ ଦାବି କରିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଆର୍ଥିକ ଓ କୂଟନୈତିକ ତିକ୍ତତାର ପ୍ରଭାବ ବିଶ୍ୱ ବଜାର ଉପରେ ପଡ଼ିବା ଆଶଙ୍କା ରହିଛି । ବିଶେଷକରି ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହାର ପ୍ରଭାବକୁ ନେଇ ନଜର ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial