ଆମେରିକା-ଇରାନ ଯୁଦ୍ଧ ତୀବ୍ର, ପରସ୍ପର ଆକ୍ରମଣରେ ବଢ଼ିଲା ଉତ୍ତେଜନା

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଏବେ ଆହୁରି ତୀବ୍ର ହୋଇଛି। ଉଭୟ ଦେଶ ପରସ୍ପରର ନୌସେନା ଓ ତେଲ ଜାହାଜକୁ ଟାର୍ଗେଟ୍‌ କରୁଥିବା ଦାବି ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକାର ଦୁଇଟି ନୌସେନା ଜାହାଜ ଏବଂ ୮ଟି ତେଲ ଟ୍ୟାଙ୍କର ଉପରେ ତେହେରାନ ଆକ୍ରମଣ କରିଥିବା ଦାବି ହୋଇଛି। ଏହାର ଜବାବରେ ଇରାନର ୫ଟି ତେଲ ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିବା ସୂଚନା ମିଳିଛି। ଆମେରିକୀୟ ସେନାର ଆକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଇରାନର ୯ଟି ଜାହାଜ ଧ୍ୱଂସ କରିଛୁ। ଆଗକୁ ଆହୁରି ଅନେକ କିଛି ଦେଖିବାକୁ ମିଳିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇରାନର ତେଲ ଟ୍ୟାଙ୍କରଗୁଡ଼ିକୁ ଆମେରିକା ଟାର୍ଗେଟ୍‌ କରି ଆକ୍ରମଣ କରିଥିବା ମଧ୍ୟ ଦାବି କରାଯାଇଛି।

ଅନ୍ୟପଟେ ଇରାନ ମଧ୍ୟ ଏହାର ଜବାବରେ ତୀବ୍ର ପ୍ରତିଶୋଧ ନେଇଥିବା ଦାବି ହୋଇଛି। ଯୋର୍ଡାନ୍‌ରେ ଥିବା ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଏକାଧିକ ବିସ୍ଫୋରଣ ଘଟିଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଆମେରିକା-ଇରାନ ସଂଘର୍ଷ ଆହୁରି ବ୍ୟାପକ ହେବା ଆଶଙ୍କା ବଢ଼ିଛି। ଏହି ସପ୍ତାହରେ ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ଆମେରିକୀୟ ନୌସେନାର ଏକ ଯୁଦ୍ଧଜାହାଜ ଉପରେ ମିସାଇଲ୍‌ ମାଡ଼ କରିଥିବା ଦାବି ପରେ ଦୁଇ ଦେଶ ମଧ୍ୟରେ ତଣାତଣି ଆହୁରି ବଢ଼ିଛି। ଫେବୃଆରୀ ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାଏଁ ଥମିନଥିବା ବେଳେ ପରସ୍ପର ଆକ୍ରମଣ ଜାରି ରହିଛି।

ସେପଟେ ଯୁଦ୍ଧର ଅବସାନକୁ ନେଇ ମଧ୍ୟ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ଚଳିତ ବର୍ଷ ପରେ ହେବାକୁ ଥିବା ଆମେରିକାର ମିଡ୍‌ଟର୍ମ ନିର୍ବାଚନ ପରେ ଇରାନ ଯୁଦ୍ଧ ‘ତତ୍‌କ୍ଷଣାତ୍ ଶେଷ ହୋଇଯିବ’ ବୋଲି ସେ କହିଛନ୍ତି। ଟ୍ରମ୍ପଙ୍କ ଅଭିଯୋଗ ଅନୁସାରେ, ଇରାନ ଆମେରିକାର ନିର୍ବାଚନକୁ ପ୍ରଭାବିତ କରିବାକୁ ବ୍ୟାକୁଳ ଅଛି, ଯାହାଦ୍ୱାରା ଏକ ଦୁର୍ବଳ ଗୋଷ୍ଠୀ କ୍ଷମତାକୁ ଆସିପାରିବ ଏବଂ ଇରାନକୁ ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦେଇପାରିବ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଏହି ସଂଘର୍ଷରେ ନୌସେନା ଜାହାଜ, ତେଲ ଟ୍ୟାଙ୍କର ଓ ସାମରିକ ଘାଟିକୁ ଟାର୍ଗେଟ୍‌ କରାଯିବା ଦାବି ହେଉଥିବାରୁ ବିଶ୍ୱ ସ୍ତରରେ ଚିନ୍ତା ବଢ଼ିଛି। ଯୁଦ୍ଧ କେବେ ଥମିବ ଏବଂ ଏହାର ପରବର୍ତ୍ତୀ ପରିଣାମ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial