ଅକ୍ଷର ବ୍ୟୁରୋ: ମୌସୁମୀ ବର୍ଷା ଆରମ୍ଭ ହେବା ସହ ଉତ୍ତରାଖଣ୍ଡରେ ବିପର୍ଯ୍ୟୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବହୁ ସ୍ଥାନରେ ଭୂସ୍ଖଳନ ଘଟିଥିବାବେଳେ ଅନେକ ରାସ୍ତା ବନ୍ଦ ହୋଇଯାଇଛି ଏବଂ କିଛି ସଡ଼କ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଚାରଧାମ ଯାତ୍ରା ଉପରେ। ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥ ଘଣ୍ଟା ଘଣ୍ଟା ଧରି ବନ୍ଦ ରହିଥିବାରୁ ଶହ ଶହ ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି।
ପାଣିପାଗ ବିଭାଗ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ବ୍ୟକ୍ତ କରିଛି। ବିଶେଷକରି ନୈନିତାଲ, ବାଗେଶ୍ୱର, ଡେରାଡୁନ, ଟିହରି, ପୌଡ଼ି, ଚମୋଲି, ଉତ୍ତରକାଶୀ ଏବଂ ରୁଦ୍ରପ୍ରୟାଗ ଜିଲ୍ଲାରେ ଭାରି ବର୍ଷାକୁ ନେଇ ସତର୍କତା ଜାରି କରାଯାଇଛି। ଜ୍ୟୋତିର୍ମଠ ଅଞ୍ଚଳର ପଗନୋ ଗାଁରେ ଭୂସ୍ଖଳନ ଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ, ଯମୁନେତ୍ରୀ ଧାମରେ ପାହାଡ଼ରୁ ବଡ଼ ବଡ଼ ପଥର ଖସି ଜଣେ ବ୍ୟକ୍ତିଙ୍କ ଘର ନଷ୍ଟ ହୋଇଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ସେହିପରି ଗୁଲାବକୋଟି ନିକଟରେ ପାହାଡ଼ରୁ ବଡ଼ ବଡ଼ ପଥର ଖସିବାରୁ ବଦ୍ରିନାଥ ଜାତୀୟ ରାଜପଥ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ବଦ୍ରିନାଥ ଅଭିମୁଖେ ଯାଉଥିବା ଶହ ଶହ ତୀର୍ଥଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଶାସନ ପକ୍ଷରୁ ଜେସିବି ଏବଂ ଉଦ୍ଧାରକାରୀ ଟିମ୍ ମୁତୟନ କରି ରାସ୍ତା ସଫା କରିବା କାର୍ଯ୍ୟ ଚାଲିଛି।
ଗୁରୁବାର ରାତିରେ ହୋଇଥିବା ମୂଷଳଧାରା ବର୍ଷା ପରେ ରାଜ୍ୟର ବହୁ ସ୍ଥାନରେ ସଡ଼କ, ପାହାଡ଼ିଆ ରାସ୍ତା ଏବଂ ଜନବସତି କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ପଥର ଖସିବା ଓ ଭୂସ୍ଖଳନ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପ୍ରଶାସନ ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ପାହାଡ଼ିଆ ରାସ୍ତାରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ଅନ୍ୟପଟେ, ମୌସୁମୀର ପ୍ରଭାବରେ ମୁମ୍ବାଇ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ସେଠାରେ ମଧ୍ୟ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।













Leave a Reply