ଅକ୍ଷର ବ୍ୟୁରୋ: ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ଦିଲ୍ଲୀରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ। ଅକ୍ଟୋବର ୧ରେ ଏହି ଉଚ୍ଚସ୍ତରୀୟ ବୈଠକ ହେବା ନେଇ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ବୈଠକରେ ମହାନଦୀ ଜଳର ବଣ୍ଟନ ଓ ପରିଚାଳନା ସହ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ମତଭେଦ ନେଇ ଆଲୋଚନା ହେବ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ବୈଷୟିକ ତଥ୍ୟ ଏବଂ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବୈଷୟିକ ଆଲୋଚନା ମଧ୍ୟ ଏହାର ଆଧାର ହୋଇପାରେ। ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। ସେଥିରେ CWC ଓ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଛି। ଓଡ଼ିଶା ପକ୍ଷରୁ ଉପରମୁଣ୍ଡରେ ନିର୍ମାଣ ଓ ଜଳ ନିୟନ୍ତ୍ରଣ ଯୋଗୁଁ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଯାଇଆସୁଛି। ଏହି ବିବାଦର ବିଚାର ପାଇଁ କେନ୍ଦ୍ର ସରକାର ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ।
ଏବେ ତେବେ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ପରାମର୍ଶ ମାଧ୍ୟମରେ ଆପୋସ ସମାଧାନ ଖୋଜିବା ଦିଗରେ ଆଗକୁ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଜୁଲାଇର ବୈଠକ ପରେ CWC ଅଧୀନରେ ବିସ୍ତାରିତ ବୈଷୟିକ କମିଟି ମାଧ୍ୟମରେ ବାକି ଥିବା ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ଟ୍ରିବ୍ୟୁନାଲର ବିଚାର ପ୍ରକ୍ରିୟା ଚାଲିଥିବା ସତ୍ତ୍ୱେ ସମାନାନ୍ତର ଭାବରେ ସମଝୌତାର ରାସ୍ତା ଖୋଜାଯାଉଛି। ସେପ୍ଟେମ୍ବର ୨୦ରେ ଭୁବନେଶ୍ୱରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ମଧ୍ୟ ମହାନଦୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାର କିଛି ଦିନ ପରେ ଏବେ ଦିଲ୍ଲୀରେ ହେବାକୁ ଥିବା ଅମିତ ଶାହଙ୍କ ଅଧ୍ୟକ୍ଷତାର ବୈଠକ ଉପରେ ନଜର ରହିଛି। ତେବେ ଆଜିର ଆଲୋଚନାରୁ କୌଣସି ନିର୍ଦ୍ଦିଷ୍ଟ ସମଝୋତା କିମ୍ବା ଅନ୍ତିମ ନିଷ୍ପତ୍ତି ଆସିବ କି ନାହିଁ, ତାହା ବୈଠକ ପରେ ସ୍ପଷ୍ଟ ହେବ।













Leave a Reply