ବଲାଙ୍ଗୀର: ଜଙ୍ଗଲରେ ଶିକାରୀଙ୍କ ମରଣଯନ୍ତା । ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପାହାଡ଼ ଖୋଲ ଭିତରେ ଲୁଚାଇ ଦିଆଯାଇଥିବା ନେଇ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳର ଗୁଞ୍ଚାଡ଼ିହ ଜଙ୍ଗଲରେ ଘଟିଛି ଏଭଳି ଘଟଣା । ବାରହା ଫାଶରେ ପଡ଼ି ଚନ୍ଦନଜୁରୀ ଗାଁର କ୍ଷେତ୍ର ବାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କ୍ଷେତ୍ର ନିଜ ସମ୍ପର୍କୀୟ ଶାଳୀଙ୍କ ସହ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଅଚାନକ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବାରହା ଫାଶରେ ଛନ୍ଦି ହୋଇଯାଇଥିଲେ । ଫାଶରେ ଫସି କ୍ଷେତ୍ର ଗୁରୁତର ହୋଇପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ସବୁଠାରୁ ଚାଞ୍ଚଲ୍ୟକର ଘଟଣା ହେଉଛି, ନିଜ ଆଖି ଆଗରେ ଭିଣୋଇଙ୍କ ମୃତ୍ୟୁ ଦେଖିଥିଲେ ତାଙ୍କ ଦିବ୍ୟାଙ୍ଗ ଶାଳୀ । ଏହି ସମୟରେ ସେ ମଧ୍ୟ ଫାଶରେ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା । ତଥାପି ହାର ମାନିନଥିଲେ । ରାତିର ଘନ ଅନ୍ଧାରରେ ଏକାକୀ ଘୁଷୁରି ଘୁଷୁରି ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ଠାରରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ଦିବ୍ୟାଙ୍ଗ ଯୁବତୀ । ପରିବାର ଲୋକେ ତୁରନ୍ତ ତାଙ୍କୁ ଘଷିଏନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଲରମ୍ଭା ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପାହାଡ଼ ଖୋଲ ଭିତରୁ କ୍ଷେତ୍ର ବାଗଙ୍କ ମୃତଦେହ ଠାବ କରାଯାଇଥିଲା । ମୃତଦେହକୁ ଏଭଳି ଭାବେ ଲୁଚାଇ ରଖାଯାଇଥିବାରୁ ଘଟଣା ପଛରେ ଶିକାରୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଛି । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବକୁ ପାହାଡ଼ ଖୋଲରେ ଲୁଚାଇ ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଘଟଣାଟି କେବଳ ଶିକାରୀଙ୍କ ବିଛାଇଥିବା ଫାଶରେ ଦୁର୍ଘଟଣାଜନିତ ମୃତ୍ୟୁ ନା ଏହା ପଛରେ ଆଉ କୌଣସି ରହସ୍ୟ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତକୁ ଜୋରଦାର କରାଯାଇଛି ।












Leave a Reply