ରାଜ୍ୟରେ ବର୍ଷା କମିବା ପରେ ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅକ୍ଷର ବ୍ୟୁରୋ : ଦୁର୍ବଳ ହେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରି ବର୍ତ୍ତମାନ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା 24 ଘଣ୍ଟା ଯାଏଁ ଏହା ତୀବ୍ରତା ବଜାୟ ରହିବ । ପରେ ଧୀରେ ଧୀରେ ଏହା ସମୁଦ୍ର ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ରାଜ୍ୟରେ ବର୍ଷା କମିବା ପରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ 50 ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ।ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରାଯାଇଛି । ତଥାପି ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେକ ବର୍ଷା ହୋଇପାରେ । ଏହାସହ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଜି ବାଲେଶ୍ବର, ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି । ସେହିପରି ଦକ୍ଷିଣ ଓଡ଼ିଶା ଯେପରି କି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ନୂଆ ବର୍ଷ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହ ୩ ଦିନ ପରେ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ଏବଂ ରାତିର ତାପମାତ୍ରା କମିବ । ବର୍ଷା ପାଗ ପାଇଁ ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ବେଗୁନିଆରେ ୮୪ ମିମି, ପିପିଲି, ଜଟଣୀ ଏବଂ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)