ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା; ଆଦିବାସୀ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବନ୍ଦ ଡାକରା ଦେଇଛି ବିଜେଡି ।

ଅକ୍ଷର ବ୍ୟୁରୋ: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ । ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ବିଜେଡି । ଏହି ବନ୍ଦକୁ ସମର୍ଥନ କରିଛି କଂଗ୍ରେସ । ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଥିବାବେଳେ ବିଜେପି କହିଛି, ସରକାର ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି ମୃତ ଛାତ୍ରୀଙ୍କ ମାଆ । ତଦନ୍ତ କରୁଛନ୍ତି ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ସାମଲ ସ୍କୁଲ ଓ ଡାକ୍ତରଖାନା ଗସ୍ତ କରି ପଚରାଉଚରା କରିଛନ୍ତି । ସେପଟେ ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିଭିନ୍ନ ରାଜନୈତିକ ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି ।

ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍ କକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ଛାତ୍ରୀଙ୍କର ଗତ ୧୪ ତାରିଖରେ ମୃତ୍ୟୁ ହୋଇଥିଲା । ମୃତକ ୫ମ ଶ୍ରେଣୀର ଛାତ୍ରୀ । ଆଶ୍ରମ ସ୍କୁଲର ହଷ୍ଟେଲରେ ପଖାଳ ଭାତ ଖାଇ ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ସୁସ୍ଥ ହେବା ସହ ଅନ୍ୟ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଛାତ୍ରୀ ମୃତ୍ୟୁ ପରେ କକାବନ୍ଧ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏଥିସହ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଥମୁ ନ ଥିବା ବେଳେ ଆଜି ବିଜେଡି ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି । ଫଳରେ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ପିକେଟିଂ କରିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)