ଅକ୍ଷର ବ୍ୟୁରୋ: ପୁଣି ଇସ୍କନର ମନମାନୀ । ବାରମ୍ବାର ମନା କରିବା ସତ୍ତ୍ୱେ ବିଦେଶରେ ଅଦିନରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗରେ ସାଉଥ୍ ଆଫ୍ରିକା ଇସ୍କନ୍ ପକ୍ଷରୁ ଦୁଇଦିନ ଧରି ଅଦିନିଆ ରଥଯାତ୍ରା ପାଳନ କରାଯାଇଥିଲା । ୧୫ ଏବଂ ୧୬ ତାରିଖରେ ଆୟୋଜିତ ଏହି ରଥଯାତ୍ରାକୁ ନେଇ ଜୋହାନେସବର୍ଗର ଓଡ଼ିଆ ସମାଜ ନିଜର ଭାବନା ପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଆ ସମୁଦାୟର ପ୍ରତିନିଧିମାନେ ଇସ୍କନ୍ର ସଦସ୍ୟମାନଙ୍କ ସହିତ ସାକ୍ଷାତ କରି ନିଜର ଅନୁଭୂତି ଓ ଭାବନା ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ଲୋକଙ୍କ ଆସ୍ଥା, ପରମ୍ପରା ଓ ଭାବନା ସହ ଗଭୀର ଭାବରେ ଜଡ଼ିତ । ତେଣୁ ପାରମ୍ପରିକ ତିଥି ବ୍ୟତୀତ ଅନ୍ୟ ଦିନରେ ଅଦିନିଆ ରଥଯାତ୍ରା ପାଳନ କରାଯିବାକୁ ନେଇ ସେମାନେ ଦୁଃଖ ପ୍ରକାଶ କରିଥିଲେ । ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବିରୋଧ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି ।
୨୦୨୬ ମସିହାରେ ବିଶ୍ବର କୋଣ ଅନୁକୋଣରେ ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି ଇସ୍କନ । ଆମେରିକାର ଫ୍ଲୋରିଡ଼ା, ଟେକ୍ସାସ ସହ ଲଣ୍ଡନ, ଅଷ୍ଟ୍ରେଲିଆ, ବ୍ରିସବେନ୍, ଆମେରିକା ଓ କାନାଡ଼ା ଆଦି ଦେଶରେ ରଥଯାତ୍ରା ଆୟୋଜନ କରିବ ଇସ୍କନ ।ଚଳିତ ବର୍ଷ ଜୁନ୍ ୨୯ରେ ସ୍ନାନଯାତ୍ରା ଓ ଜୁଲାଇ ୧୬ରେ ପଡୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତାର ବହୁ ପୂର୍ବରୁ ଅଦିନରେ ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା ଆୟୋଜନ କରି ବିଧି ବ୍ୟବସ୍ଥା ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳ ଖେଳୁଛି ଇକ୍ସନ । ତେବେ ଏନେଇ ଇସ୍କନ ପ୍ରତିକ୍ରିୟା ମିଳିପାରି ନାହିଁ ।












Leave a Reply