ଅକ୍ଷର ବ୍ୟୁରୋ: ସ୍ନାନଯାତ୍ରା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଗୁପ୍ତ ସେବା ଗ୍ରହଣ କରୁଛନ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ରହୁଥିବାରୁ ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଅଲାରନାଥ ମନ୍ଦିରରେ ଏବେ ଶ୍ରୀକ୍ଷେତ୍ର ଭଳି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଅଣସର ଦର୍ଶନର ପ୍ରଥମ ଦିନରୁ ହିଁ ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଦିନରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଅଲାରନାଥଙ୍କ ଦର୍ଶନ କରିଛନ୍ତି। ମନ୍ଦିର ପରିସର ଭକ୍ତମାନଙ୍କ ହରିବୋଲ ଓ ହୁଳୁହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି।
ଅଣସର ସମୟରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ପଟିଦିଅଁଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ, ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ରୂପେ ଅଲାରନାଥଙ୍କ ଦର୍ଶନ କରିବାକୁ ବ୍ରହ୍ମଗିରିରେ ପହଞ୍ଚୁଛନ୍ତି। ଫଳରେ ଅଲାରନାଥ ପୀଠରେ ପ୍ରତିଦିନ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଦ୍ୱାରଫିଟା ନୀତି ପରେ ଅଣସର ଦର୍ଶନ ପାଇଁ ବ୍ୟାରିକେଡ୍ରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଶ୍ରୀଅଲାରନାଥଙ୍କ ମଙ୍ଗଳ ଆଳତି, ଅବକାଶ, ବେଶ ଓ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହେବା ପରେ ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଭକ୍ତଙ୍କ ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଅଲାରନାଥ ସେବାୟତ ନିଯୋଗ ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ସହ ସୁବ୍ୟବସ୍ଥିତ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସେହିପରି ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଅଣସର ଅବଧି ସାରା ଅଲାରନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସୁରକ୍ଷା, ଟ୍ରାଫିକ୍ ଓ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି।














Leave a Reply