ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ହୀରାକୁଦ ଡ୍ୟାମରୁ ଛାଡ଼ାଯାଇଥିବା ପ୍ରଥମ ବନ୍ୟାଜଳ ଆଜି କଟକର ମୁଣ୍ଡଳୀରେ ପହଞ୍ଚିବ। ହୀରାକୁଦରୁ ନିଷ୍କାସିତ ଜଳ ଧୀରେ ଧୀରେ ତଳମୁଣ୍ଡ ଅଞ୍ଚଳକୁ ପ୍ରବାହିତ ହେଉଥିବାବେଳେ ଜଳସ୍ତର ଉପରେ ଜଳ ସମ୍ପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।
ବର୍ତ୍ତମାନ କଟକ ମୁଣ୍ଡଳୀ ବ୍ରିଜ୍ ଦେଇ ସେକେଣ୍ଡ ପିଛା ପ୍ରାୟ ୯୦ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମର ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସେହିପରି ନରାଜ ବ୍ୟାରେଜ୍ ଦେଇ କାଠଯୋଡ଼ି ନଦୀକୁ ସେକେଣ୍ଡ ପିଛା ୩୦ ହଜାର କ୍ୟୁସେକ୍ ଜଳ ଛାଡ଼ାଯାଉଛି। ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଥିବାବେଳେ ନରାଜ ବ୍ୟାରେଜ୍ର ସମସ୍ତ ୪୬ଟି ଗେଟ୍ ଆଂଶିକ ଭାବେ ଖୋଲା ରଖାଯାଇଛି, ଯାହାଫଳରେ ଜଳ ନିଷ୍କାସନ ସୁଚାରୁ ଭାବେ ଚାଲିପାରୁଛି।
ଉଭୟ ମୁଣ୍ଡଳୀ ଓ ନରାଜ ବ୍ୟାରେଜ୍ରେ ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାରୁ ତତ୍କାଳ କୌଣସି ବନ୍ୟା ଆଶଙ୍କା ନଥିବା କୁହାଯାଉଛି। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସଜାଗ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଜଳ ପ୍ରବାହର ପରିମାଣ ଓ ନଦୀର ସ୍ଥିତି ଉପରେ ଜଳ ସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି। ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି।













Leave a Reply