ତାରାତାରିଣୀ ମନ୍ଦିର ନିକଟରେ ଚାଞ୍ଚଲ୍ୟ: ହୋଟେଲ ପାଖରୁ ରୋପୱେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଧୀନ ମା’ ତାରାତାରିଣୀ ମନ୍ଦିର ନିକଟରେ ଥିବା ହୋଟେଲ ଲକ୍ଷ୍ମୀପ୍ରିୟା ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ମନୋଜ ସ୍ୱାଇଁ, ଯିଏ ପୁରୀରୁ ତାରାତାରିଣୀ ମନ୍ଦିରର ରୋପୱେ ମରାମତି କାର୍ଯ୍ୟ ପାଇଁ ଆସିଥିଲେ।

ସୂଚନା ଅନୁସାରେ, ମନୋଜ ସ୍ୱାଇଁଙ୍କ ସହ ଆଉ ଦୁଇଜଣ କର୍ମଚାରୀ ମଧ୍ୟ ପୁରୀରୁ ଆସିଥିଲେ। ସେମାନେ ଗତ ଜୁନ୍ ୨୮ ତାରିଖରୁ ହୋଟେଲ ଲକ୍ଷ୍ମୀପ୍ରିୟାରେ ରହୁଥିଲେ ଏବଂ ରୋପୱେ ମରାମତି କାମରେ ନିୟୋଜିତ ଥିଲେ। ତେବେ ଆଜି ସକାଳେ ହୋଟେଲ ନିକଟରେ ମନୋଜଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ଘଟଣାକୁ ନେଇ ମନୋଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ବୈଜ୍ଞାନିକ ତଦନ୍ତ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ହୋଟେଲରେ ଥିବା ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରି ପୁଲିସ ଘଟଣାର ସମସ୍ତ ଦିଗକୁ ଖତିଆନ କରୁଛି।ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ତାରାତାରିଣୀ ମନ୍ଦିର ଅଞ୍ଚଳରେ ଉତ୍ତେଜନା ସହ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)