ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜୀବନକୁ ବାଜି ଲଗାଇ ଏକ ଦୁଃସାହସିକ ସମୁଦ୍ର ଯାତ୍ରା ସଫଳ କରିଛି ଏକ ତୈଳବାହୀ ଜାହାଜ। ଇରାକରୁ ଅଶୋଧିତ ତୈଳ ବୋଝେଇ କରି ଭାରତ ଫେରୁଥିବା ଜାହାଜଟି ହର୍ମୁଜ୍ ପ୍ରଣାଳୀ ନିକଟରେ ଯୁଦ୍ଧର ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷରେ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରରେ ପହଞ୍ଚିଛି।
ସୂଚନା ଅନୁସାରେ, ଇରାକରୁ ଅଶୋଧିତ ତୈଳ ନେଇ ଯାତ୍ରା ଆରମ୍ଭ କରିବା ପରେ ହଠାତ୍ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଏପରି ସଙ୍କଟଜନକ ସମୟରେ ଜାହାଜର ମାଷ୍ଟର ଓ କ୍ରୁ ସଦସ୍ୟମାନେ ଭାରତୀୟ ନୌସେନା ସହ ନିରନ୍ତର ଯୋଗାଯୋଗ ରଖି ସତର୍କତାର ସହ ଯାତ୍ରା ଜାରି ରଖିଥିଲେ। ସବୁଠାରୁ ବିପଦଜନକ ମୁହୂର୍ତ୍ତ ଆସିଥିଲା ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବା ବେଳେ। ସେହି ସମୟରେ ଶତ୍ରୁପକ୍ଷର ଆକ୍ରମଣରେ ଜାହାଜର ବ୍ରିଜ୍ (Bridge) ଅଂଶ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ଭୟଭୀତ ନହୋଇ ଜାହାଜର ମାଷ୍ଟର ଓ କ୍ରୁ ସଦସ୍ୟମାନେ ଅସୀମ ସାହସ, ଧୈର୍ଯ୍ୟ ଏବଂ ବୃତ୍ତିଗତ ଦକ୍ଷତାର ପରିଚୟ ଦେଇ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ।
ପରେ ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଜାହାଜଟି ପୁଣି ନିଜର ଅସମ୍ପୂର୍ଣ୍ଣ ଯାତ୍ରା ଆରମ୍ଭ କରି ଶେଷରେ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରରେ ପହଞ୍ଚିଛି। ସବୁଠାରୁ ବଡ଼ ଆଶ୍ୱସ୍ତିର ବିଷୟ ହେଉଛି, ସମ୍ପୂର୍ଣ୍ଣ ଅଭିଯାନ ସମୟରେ ଜାହାଜର କୌଣସି ଅଫିସର କିମ୍ବା କ୍ରୁ ସଦସ୍ୟଙ୍କର କ୍ଷତି ହୋଇନାହିଁ। ଯୁଦ୍ଧର ଭୟାବହ ପରିସ୍ଥିତି ମଧ୍ୟରେ ଭାରତୀୟ ନୌସେନାର ସହଯୋଗ, ଜାହାଜର ମାଷ୍ଟରଙ୍କ ନେତୃତ୍ୱ ଏବଂ କ୍ରୁ ସଦସ୍ୟଙ୍କ ସାହସିକତା ଯୋଗୁଁ ଏକ ସମ୍ଭାବ୍ୟ ବଡ଼ ସାମୁଦ୍ରିକ ବିପର୍ଯ୍ୟୟକୁ ଏଡ଼ାଇବା ସମ୍ଭବ ହୋଇଛି।














Leave a Reply