ପୁଣି ମହଙ୍ଗା ହେଲା ଉଡାଣ; ୬ ମାସରେ ଦ୍ୱିତୀୟ ଥର ବଢ଼ିଲା ଜୟପୁର–ଭୁବନେଶ୍ୱର ଓ ଜୟପୁର–ବିଶାଖାପାଟନମ୍ ବିମାନ ଭଡ଼ା

ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲାର ଜୟପୁର ବିମାନବନ୍ଦରରୁ ଉଡାଣ କରୁଥିବା ଯାତ୍ରୀଙ୍କ ପାଇଁ ପୁଣି ଲାଗିଛି ମହଙ୍ଗା ଝଟକା। ଜୟପୁର–ଭୁବନେଶ୍ୱର ଏବଂ ଜୟପୁର–ବିଶାଖାପାଟନମ୍ ରୁଟ୍‌ରେ ବିମାନ ଭଡ଼ାକୁ ପୁଣିଥରେ ବୃଦ୍ଧି କରିଛି ସେବା ପ୍ରଦାନକାରୀ ସଂସ୍ଥା ‘ଇଣ୍ଡିଆ ୱାନ୍ ଏୟାର’। ଗତ ୬ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭଡ଼ା ବୃଦ୍ଧି।

ନୂଆ ଦର ଅନୁଯାୟୀ, ଜୟପୁରରୁ ଭୁବନେଶ୍ୱର ଯାତ୍ରା ପାଇଁ ଜଣେ ଯାତ୍ରୀଙ୍କୁ ଏବେ ୫,୦୩୩ ଦେବାକୁ ପଡ଼ିବ। ସେହିପରି ଜୟପୁରରୁ ବିଶାଖାପାଟନମ୍ ଯିବା ପାଇଁ ଭଡ଼ା ୩,୨୯୨ ନିର୍ଦ୍ଧାରଣ କରାଯାଇଛି। ପୂର୍ବରୁ ଜୟପୁର–ଭୁବନେଶ୍ୱର ରୁଟ୍‌ରେ ଟିକେଟ୍ ମୂଲ୍ୟ ୪,୬୨୦ ଥିବାବେଳେ ବର୍ତ୍ତମାନ ଏହା ୪୧୩ ବୃଦ୍ଧି ପାଇ ୫,୦୩୩ରେ ପହଞ୍ଚିଛି। ସେହିପରି ଜୟପୁର–ବିଶାଖାପାଟନମ୍ ରୁଟ୍‌ରେ ଟିକେଟ୍ ମୂଲ୍ୟ ୨,୪୧୫ରୁ ବଢ଼ି ୩,୨୯୨ ହୋଇଛି, ଅର୍ଥାତ୍ ଏକାଥରେ ₹୮୭୭ ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଅକ୍ଟୋବର ୩୧ରେ ଜୟପୁର ବିମାନବନ୍ଦରରୁ ପ୍ରଥମ ବାଣିଜ୍ୟିକ ଉଡାଣ ସେବା ଆରମ୍ଭ ହୋଇଥିଲା। ସେତେବେଳେ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ବିମାନ ଯାତ୍ରାର ସୁବିଧା ଦେବା ଲକ୍ଷ୍ୟରେ ଟିକେଟ୍ ମୂଲ୍ୟ ମାତ୍ର ୯୯୯ ରଖାଯାଇଥିଲା। ଏହି ରୁଟ୍‌ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ସଂଯୋଗ ଯୋଜନା ଅଧୀନରେ ସବସିଡି ସହ ପରିଚାଳିତ ହେଉଛି।

ତେବେ ବାରମ୍ବାର ଭଡ଼ା ବୃଦ୍ଧି ଯୋଗୁଁ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସବସିଡି ପ୍ରାପ୍ତ ବିମାନ ସେବାରେ ଏଭଳି ଲଗାତାର ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ସେବା ପ୍ରକୃତରେ କାହା ସ୍ୱାର୍ଥରେ ପରିଚାଳିତ ହେଉଛି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି। ବିମାନ ଭଡ଼ାକୁ ପୁନର୍ବିଚାର କରି ସାଧାରଣ ଯାତ୍ରୀଙ୍କ ପାଇଁ ଏହାକୁ ସୁଲଭ କରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)