ଅକ୍ଷର ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ମୋବାଇଲ୍ ବ୍ୟବହାରକୁ କେନ୍ଦ୍ର କରି ୧୫ ବର୍ଷୀୟା ଜଣେ ନାବାଳିକା କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ରାଜ ବରହମପୁର ଥାନା ଅଧୀନ ଗଗପାଳ ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ନାବାଳିକା ଜଣକ ଦୀର୍ଘ ସମୟ ଧରି ମୋବାଇଲ୍ ବ୍ୟବହାର କରୁଥିବାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ବାରଣ କରୁଥିଲେ। ଘଟଣା ଦିନ ମାଆ ଓ ମାମୁ ତାଙ୍କୁ ଗାଳି କରିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଏଥିରେ ରାଗିଯାଇ ନାବାଳିକା ନିଜକୁ ଘର ଭିତରେ ବନ୍ଦ କରି ଘରେ ଥିବା କୀଟନାଶକ ପିଇଦେଇଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ପ୍ରଥମେ ଉଦଳା ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।
ଘଟଣାର ସୂଚନା ପାଇ ପୁଲିସ୍ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, କିଶୋର-କିଶୋରୀଙ୍କ ମଧ୍ୟରେ ବଢ଼ୁଥିବା ମୋବାଇଲ୍ ନିର୍ଭରଶୀଳତା ଓ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି।














Leave a Reply