E-20 ପେଟ୍ରୋଲକୁ ନେଇ ଦେଶବ୍ୟାପୀ ବିବାଦ: ‘ଇଥାନଲ ସ୍କାମ୍’ ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲେ ଗାଡ଼ିଚାଳକ

ଅକ୍ଷର ବ୍ୟୁରୋ: E-20 ପେଟ୍ରୋଲ ବିକ୍ରିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଛି ଅସନ୍ତୋଷ। ୨୦ ପ୍ରତିଶତ ଇଥାନଲ ମିଶ୍ରିତ E-20 ପେଟ୍ରୋଲ ବ୍ୟବହାର ଫଳରେ ଗାଡ଼ିର ଇଞ୍ଜିନ, ମାଇଲେଜ ଓ ଫୁଏଲ ସିଷ୍ଟମ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଥିବା ଅଭିଯୋଗ କରିଛନ୍ତି ଗାଡ଼ିଚାଳକ ଓ ଉପଭୋକ୍ତାମାନେ। ବିଭାଗ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯାଉଥିଲେ ମଧ୍ୟ E-20 ଇନ୍ଧନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଚିନ୍ତା ଜାରି ରହିଛି।

ଏହି ପ୍ରସଙ୍ଗରେ ଦିଲ୍ଲୀର ଯନ୍ତର ମନ୍ତରରେ ଗାଡ଼ିଚାଳକ, ଉପଭୋକ୍ତା ଏବଂ ସାଧାରଣ ଲୋକେ ଏକାଠି ହୋଇ E-20 ପେଟ୍ରୋଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାମାଜିକ କର୍ମୀ ତହସିନ୍ ପୁନାୱାଲାଙ୍କ ନେତୃତ୍ୱରେ “TEAM BHARAT Against the Ethanol Scam” ବ୍ୟାନର ତଳେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ପ୍ରତିବାଦକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଦେଶର ପେଟ୍ରୋଲ ପମ୍ପଗୁଡ଼ିକରେ E-20 ପେଟ୍ରୋଲ ବିକ୍ରି ଆରମ୍ଭ ହେବା ପରଠାରୁ ବହୁ ଗାଡ଼ି ମାଲିକ ବିଭିନ୍ନ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରତିବାଦକାରୀମାନେ ଦାବି କରିଛନ୍ତି ଯେ, E-20 ପେଟ୍ରୋଲ ବ୍ୟବହାର ଫଳରେ ଗାଡ଼ିର ମାଇଲେଜ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି। ଏହାସହ ଇଞ୍ଜିନ ଓ ଫୁଏଲ ସିଷ୍ଟମରେ ତ୍ରୁଟି ସୃଷ୍ଟି ହେଉଥିବା ମଧ୍ୟ ଅଭିଯୋଗ କରାଯାଇଛି। ଇଥାନଲ ବାୟୁମଣ୍ଡଳରୁ ଆର୍ଦ୍ରତା ଟାଣି ଆଣୁଥିବାରୁ ଫୁଏଲ ଟ୍ୟାଙ୍କ ଓ ପାଇପ ଭିତରେ କଳଙ୍କି ଲାଗୁଥିବା ବେଳେ ରବର ଓ ପ୍ଲାଷ୍ଟିକ ଉପକରଣ ଶୀଘ୍ର ନଷ୍ଟ ହେଉଛି। ଫଳରେ ଫୁଏଲ ପମ୍ପ ଜାମ୍ ହେବା, ଗାଡ଼ି ହଠାତ୍ ବନ୍ଦ ହୋଇଯିବା ଓ ରାସ୍ତା ମଝିରେ ଅଟକିଯିବା ଭଳି ସମସ୍ୟା ବଢ଼ୁଥିବା ସେମାନେ କହିଛନ୍ତି।

ଅନ୍ୟପଟେ, E-20 ପେଟ୍ରୋଲ ବିରୋଧରେ ଆସୁଥିବା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଗାଡ଼ି ନିର୍ମାତା ସଂଘ । ସେମାନଙ୍କ ମତରେ E-20 ଇନ୍ଧନ ପରିବେଶ ଅନୁକୂଳ ଏବଂ ଦେଶର ଇନ୍ଧନ ଆମଦାନି ନିର୍ଭରଶୀଳତା କମାଇବାରେ ସହାୟକ ହେବ। ତେବେ E-20 ବ୍ୟବହାରରେ ମାଇଲେଜ ସାମାନ୍ୟ ହ୍ରାସ ପାଇପାରେ ବୋଲି ସେମାନେ ସ୍ୱୀକାର କରିଛନ୍ତି।

E-20 ପେଟ୍ରୋଲକୁ ନେଇ ଏବେ ଗ୍ରାହକଙ୍କ ଆଶଙ୍କା ଓ ସରକାରଙ୍କ ଯୁକ୍ତି ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଆଗାମୀ ଦିନରେ ଏହାକୁ ନେଇ ଆହୁରି ବ୍ୟାପକ ଆଲୋଚନା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)