ବାଲେଶ୍ୱରରେ ଦୁଃସାହସିକ ATM ଲୁଟ୍: କାରରେ ବାନ୍ଧି ଘୋଷାରି ନେଇ ଲୁଟିଲେ ଲକ୍ଷାଧିକ ଟଙ୍କା, CCTVରେ କଏଦ ଦୃଶ୍ୟ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦୁଃସାହସିକ ଲୁଟ୍। ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଏକ ଏଟିଏମ୍‌କୁ ଟାର୍ଗେଟ୍ କରି ବିଳମ୍ବିତ ରାତିରେ ୫ରୁ ଅଧିକ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସିନେମା ଷ୍ଟାଇଲରେ ଏଟିଏମ୍ ମେସିନକୁ କାରରେ ବାନ୍ଧି ଘୋଷାରି ନେଇ ଟଙ୍କା ଲୁଟିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନକୁ ଏକ କାରରେ ଦଉଡ଼ି ବାନ୍ଧି ଘୋଷାରି ନେଇଥିଲେ। କିଛି ଦୂର ନେବା ପରେ ରାସ୍ତା ମଝିରେ ଏଟିଏମ୍ ମେସିନକୁ ଛାଡ଼ି ସେମାନେ ଫେରାର ହୋଇଯାଇଥିଲେ। ତେବେ ମେସିନରୁ କେତେ ଟଙ୍କା ଲୁଟ୍ ହୋଇଛି, ସେନେଇ ଏପର୍ଯ୍ୟନ୍ତ ବ୍ୟାଙ୍କ କିମ୍ବା ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ଏଟିଏମ୍ ମେସିନକୁ କାରରେ ବାନ୍ଧି ଘୋଷାରି ନେଉଥିବା ସମ୍ପୂର୍ଣ୍ଣ ଘଟଣା ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫୁଟେଜ୍‌ରୁ ଗାଡ଼ିରେ ୫ରୁ ଅଧିକ ଦୁର୍ବୃତ୍ତ ଥିବା ଜଣାପଡ଼ିଛି, ଯାହାକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଉଛି।

ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍ ମେସିନକୁ ଜବତ କରିଛି। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି। ଏହି ଦୁଃସାହସିକ ଲୁଟ୍ ଘଟଣା ପରେ ତୁଡ଼ିଗଡିଆ ସମେତ ଆଖପାଖ ଅଞ୍ଚଳରେ ଭୟ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥା ଓ ଏଟିଏମ୍‌ଗୁଡ଼ିକର ସୁରକ୍ଷାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)