ଅକ୍ଷର ବ୍ୟୁରୋ: ଅନୁଗୋଳ ସହରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ସହର ମଝିରେ ଥିବା ଅମଲାପଡ଼ା କେନାଲ ରୋଡ୍ ରେ BPCLର PNG (Piped Natural Gas) ପାଇପ୍ଲାଇନ୍ ଫାଟିଯିବାରୁ ବହୁ ପରିମାଣରେ ଗ୍ୟାସ୍ ଲିକ୍ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, TPCODL ପକ୍ଷରୁ ଭୂତଳ କାମ ଚାଲିଥିବା ବେଳେ ଅସାବଧାନତାବଶତଃ BPCLର ଗ୍ୟାସ୍ ପାଇପ୍ଲାଇନ୍ କ୍ଷତିଗ୍ରସ୍ତ ହୋଇ ଫାଟିଯାଇଥିଲା। ଏହାଫଳରେ ପାଇପ୍ଲାଇନ୍ରୁ ବହୁ ପରିମାଣର PNG ଲିକ୍ ହେବା ଆରମ୍ଭ ହୋଇଥିଲା। ଗ୍ୟାସ୍ ଲିକ୍ ହେଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ଏବଂ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ଘଟଣାର ସୂଚନା ପାଇବାମାତ୍ରେ ଦମକଳ ବାହିନୀ, ଟାଉନ୍ ଥାନା ପୋଲିସ ଏବଂ BPCLର ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲିକ୍ ହେଉଥିବା ଗ୍ୟାସ୍କୁ ବନ୍ଦ କରିବା ପାଇଁ ଜରୁରୀ ଅପରେସନ୍ ଚଳାଯାଇଥିଲା। କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଅଳ୍ପ ସମୟ ମଧ୍ୟରେ ଗ୍ୟାସ୍ ଲିକ୍କୁ ନିୟନ୍ତ୍ରଣକୁ ଅଣାଯାଇଥିଲା।
ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବିସ୍ଫୋରଣ କିମ୍ବା ଜୀବନହାନି ଘଟିନାହିଁ। ତେବେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗ୍ୟାସ୍ ଲିକ୍ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ଘଟଣାର କାରଣ ଓ ଭୂତଳ କାମ ସମୟରେ କିପରି ପାଇପ୍ଲାଇନ୍ କ୍ଷତିଗ୍ରସ୍ତ ହେଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି।














Leave a Reply