ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଦୁର୍ଘଟଣା। ମୁଣ୍ଡାଖେଡା ଅଞ୍ଚଳରେ ଏକ ମସଜିଦର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୬ ଜଣ ଭଗ୍ନାବଶେଷ ତଳେ ଫସିଯାଇଥିଲେ। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ, ଲଗାତାର ପ୍ରବଳ ବର୍ଷା ପରେ ମସଜିଦର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬ ଜଣ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଫସିଯାଇଥିଲେ। ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ, ଏନଡିଆରଏଫ୍ (NDRF) ଓ ଅନ୍ୟାନ୍ୟ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।
ଉଦ୍ଧାର କାର୍ଯ୍ୟ ସମୟରେ ୨ ଜଣଙ୍କୁ ମୃତ ଅବସ୍ଥାରେ ବାହାର କରାଯାଇଥିଲା। ଅନ୍ୟ ୪ ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହେବାରୁ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଅବଶିଷ୍ଟ ୩ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଲଗାତାର ବର୍ଷା ଯୋଗୁଁ କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।















Leave a Reply