ଅକ୍ଷର ବ୍ୟୁରୋ: ଜିମ୍ବାୱେର କରିବା ହ୍ରଦରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା। ଯାତ୍ରୀବାହୀ ଏକ ପୁରୁଣା ନୌକା ହ୍ରଦରେ ଓଲଟି ପଡ଼ିବାରୁ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣାପଡ଼ିଛି। ଶନିବାର ଉଦ୍ଧାରକାରୀ ଦଳ ଆଉ ୨୬ଟି ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା ୭୨କୁ ବୃଦ୍ଧି ପାଇଥିବା ପୁଲିସ ସ୍ପଷ୍ଟ କରିଛି। ପ୍ରାଥମିକ ଆକଳନ ଅନୁସାରେ, ନୌକାରେ ପ୍ରାୟ ୧୫୩ ଜଣ ଯାତ୍ରୀ ଥିଲେ। ଯେଉଁ ନୌକାର କ୍ଷମତା ମାତ୍ର ୯୦ ଜଣ। ଅର୍ଥାତ୍ ନିର୍ଦ୍ଧାରିତ କ୍ଷମତାଠାରୁ ବହୁ ଅଧିକ ଯାତ୍ରୀଙ୍କୁ ନେଇ ନୌକାଟି ଯାତ୍ରା କରୁଥିବା ଅଭିଯୋଗ ହୋଇଛି। ତେବେ ପ୍ରକୃତରେ ନୌକାରେ କେତେ ଜଣ ଥିଲେ ଏବଂ ଆଉ କେତେ ଜଣ ନିଖୋଜ ଅଛନ୍ତି, ତାହା ଅଧିକାରୀମାନେ ଏଯାଏ ସ୍ପଷ୍ଟ କରିନାହାନ୍ତି।
ଦୁର୍ଘଟଣାର ଭୟାବହତା ମଧ୍ୟରେ ଶିଶୁଙ୍କ ମୃତ୍ୟୁ ଘଟଣାକୁ ଆହୁରି ଦୁଃଖଦ କରିଛି। ପୁଲିସ ପ୍ରକାଶ କରିଥିବା ମୃତକଙ୍କ ତାଲିକାରୁ ୧୬ ଜଣ ଶିଶୁଙ୍କ ବୟସ ୧୦ ବର୍ଷ କିମ୍ବା ତା’ଠାରୁ କମ୍ ଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମାତ୍ର ୧ ବର୍ଷର ଶିଶୁ ମଧ୍ୟ ରହିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ୭୭ ଜଣଙ୍କୁ ଜୀବିତ ଉଦ୍ଧାର କରିଛି। ଜିମ୍ବାୱେର ଡିଜାଷ୍ଟର ମ୍ୟାନେଜମେଣ୍ଟ ଏଜେନ୍ସି ଅନୁସାରେ, ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ପ୍ରଥମେ ହ୍ରଦର ଏକ ଛୋଟ ଦ୍ୱୀପକୁ ନିଆଯାଇଥିଲା। ପରେ ସେମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅନ୍ୟ ନୌକା ପଠାଯାଇଥିଲା।
ସୂଚନା ଅନୁସାରେ, ଏହି ପୁରୁଣା ନୌକାଟି କରିବା ସହରରୁ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ଗ୍ରାମୀଣ ଓ ମତ୍ସ୍ୟଜୀବୀ ସମୁଦାୟ ଅଭିମୁଖେ ଯାଉଥିଲା। ଅଞ୍ଚଳରେ ରାସ୍ତାଘାଟର ଅବସ୍ଥା ଖରାପ ଏବଂ ସାଧାରଣ ପରିବହନ ସୀମିତ ଥିବାରୁ କରିବା ହ୍ରଦ ଆଖପାଖ ଲୋକଙ୍କ ପାଇଁ ଏହି ନୌକା ଏକ ପ୍ରମୁଖ ଯାତାୟାତ ମାଧ୍ୟମ ଥିଲା। ନୌକାଟି ଏକ ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। ନୌକାରେ ପ୍ରକୃତରେ କେତେ ଜଣ ଯାତ୍ରୀ ଥିଲେ, ତାହା ନେଇ ଏବେ ବି ଅନିଶ୍ଚିତତା ରହିଛି। ଛୋଟ ପିଲାଙ୍କ ପାଇଁ ଟିକେଟ୍ ଆବଶ୍ୟକ ନଥିବାରୁ ପ୍ରାରମ୍ଭିକ ଯାତ୍ରୀ ଗଣନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିବା ଜଣାପଡ଼ିଛି। ଫଳରେ ନିଖୋଜଙ୍କ ପ୍ରକୃତ ସଂଖ୍ୟା ନେଇ ଅଧିକାରୀମାନେ ତଥ୍ୟ ସଂଗ୍ରହ କରୁଛନ୍ତି। ୭୨ ମୃତ୍ୟୁ, ୭୭ ଉଦ୍ଧାର ଏବଂ ଅନେକ ନିଖୋଜଙ୍କ ସନ୍ଧାନ କରିବା ହ୍ରଦର ଏହି ଦୁର୍ଘଟଣା ଜିମ୍ବାୱେରେ ଗଭୀର ଶୋକର ଛାୟା ଖେଳାଇଦେଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ନିଖୋଜ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି।













Leave a Reply