ଅକ୍ଷର ବ୍ୟୁରୋ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜକମାନଙ୍କ ପାଇଁ ଲାଗୁ ହୋଇଛି ନୂଆ ଡ୍ରେସ୍ କୋଡ୍। ଶୁକ୍ରବାରଠାରୁ ମନ୍ଦିରର ସମସ୍ତ ପୂଜକଙ୍କ ପାଇଁ ହଳଦିଆ ରଙ୍ଗର ଉତ୍ତରୀୟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦୈନନ୍ଦିନ ପୂଜାପାଠ, ଆରତି ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ବୈଷ୍ଣବ ଓ ରାମାନନ୍ଦାଚାର୍ଯ୍ୟ ପରମ୍ପରା ଅନୁସାରେ ପୂଜକମାନେ ଏହି ପୋଷାକ ଧାରଣ କରିବେ।
ମନ୍ଦିରର ଧାର୍ମିକ କମିଟି ପକ୍ଷରୁ ନିର୍ଦ୍ଧାରିତ ଏହି ଡ୍ରେସ୍ କୋଡ୍ ଶୁକ୍ରବାର ଦ୍ୱିତୀୟ ପାଳିର ରୀତିନୀତିରୁ କାର୍ଯ୍ୟକାରୀ ହୋଇଛି। ଏହା ଦ୍ୱାରା ପୂଜକମାନଙ୍କ ବେଶଭୂଷାରେ ଏକରୂପତା ଆସିବା ସହ ମନ୍ଦିରର ଶୃଙ୍ଖଳା ଓ ଧାର୍ମିକ ଗାମ୍ଭୀର୍ଯ୍ୟ ଆହୁରି ବଢ଼ିବ ବୋଲି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ମନ୍ଦିରରେ ଝୁଲଣୋତ୍ସବ ଚାଲିଥିବା ବେଳେ ନୂଆ ଡ୍ରେସ୍ କୋଡ୍ରେ ପୂଜକମାନେ ପ୍ରଭୁ ରାମଲାଲାଙ୍କ ବିଜେ ପ୍ରତିମାଙ୍କ ବୈଦିକ ରୀତିନୀତି ସମ୍ପନ୍ନ କରିଛନ୍ତି। ଫୁଲରେ ସଜ୍ଜିତ ଦୋଳିରେ ପ୍ରଭୁଙ୍କୁ ବିରାଜମାନ କରାଇ ବିଭିନ୍ନ ପୂଜାବିଧି କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଉତ୍ସବ ଓ ପୂଜାପଦ୍ଧତିକୁ ଆହୁରି ସୁସଂଗଠିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ନୂଆ ନିୟମ ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି।















Leave a Reply