ଅକ୍ଷର ବ୍ୟୁରୋ: ଚନ୍ଦ୍ର ପୃଷ୍ଠରେ ମାନବ ନିର୍ମିତ ମହାକାଶ ଯାନର ଧକ୍କାର ନୂଆ ଚିହ୍ନ ସାମ୍ନାକୁ ଆସିଛି। ନାସାର Lunar Reconnaissance Orbiter (LRO) ଚନ୍ଦ୍ର ପୃଷ୍ଠରେ ଏକ ନୂଆ ଗର୍ତ୍ତର ଚିତ୍ର ଧରିଛି। ଅଗଷ୍ଟ ୫, ୨୦୨୬ରେ ଏକ ବ୍ୟବହୃତ SpaceX Falcon 9 ରକେଟ୍ର ଉପର ଷ୍ଟେଜ୍ ଚନ୍ଦ୍ରରେ ଧକ୍କା ଦେବା ପରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ପୂର୍ବାନୁମାନ ସହ ମେଳ ଖାଉଛି।
LROର Narrow-Angle Camera ଅଗଷ୍ଟ ୧୧ରୁ ୧୨ ମଧ୍ୟରେ ଏହି ଅଞ୍ଚଳର ଚିତ୍ର ଧରିଥିବା ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ର ପୃଷ୍ଠର ପ୍ରାୟ ୬୦ ମାଇଲ୍ ଉପରୁ ଉଡ଼ୁଥିବା LROକୁ ନିର୍ଦ୍ଦିଷ୍ଟ ଭାବେ ଧକ୍କାସ୍ଥଳ ଦିଗକୁ ଅଭିମୁଖ କରି ଚିତ୍ର ନେବାକୁ ପଡ଼ିଥିଲା। ନାସାର ପୂର୍ବାନୁମାନ ଅନୁସାରେ, Falcon 9 ଉପର ଷ୍ଟେଜ୍ର ଧକ୍କାରେ ପ୍ରାୟ ୬୦ ଫୁଟ୍ ଚଉଡ଼ା ଓ ୧୨ ଫୁଟ୍ ଗଭୀର ଗର୍ତ୍ତ ସୃଷ୍ଟି ହେବା କଥା ଥିଲା। ଧକ୍କାର ପ୍ରଭାବରେ ଚନ୍ଦ୍ର ପୃଷ୍ଠର ଧୂଳି ଓ ପଥର ବାହାରକୁ ଛିଟିଯାଇଥିବା ମଧ୍ୟ ଆଶା କରାଯାଇଥିଲା।
ଚନ୍ଦ୍ରରେ ପୃଥିବୀ ଭଳି ବାୟୁମଣ୍ଡଳ ନଥିବାରୁ ଏଭଳି ବସ୍ତୁ ଧକ୍କା ଦେବା ସମୟରେ ବାୟୁ ଘର୍ଷଣ ଦ୍ୱାରା ଗତି କମିଯାଏ ନାହିଁ। ତେଣୁ ଏହି ଧକ୍କାରୁ ସୃଷ୍ଟି ହେଉଥିବା ପ୍ରଭାବକୁ ଅଧ୍ୟୟନ କରିବା ବୈଜ୍ଞାନିକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଏହି Falcon 9 ରକେଟ୍ଟି ୧୫ ଜାନୁଆରୀ ୨୦୨୫ରେ Firefly Aerospaceର Blue Ghost 1 ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ମହାକାଶକୁ ଉଡ଼ିଥିଲା। ଲ୍ୟାଣ୍ଡର୍ଟି ପରେ ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରିଥିଲା। ମିଶନ୍ ପରେ Falcon 9ର ଉପର ଷ୍ଟେଜ୍ ଚନ୍ଦ୍ରମୁଖୀ ପଥରେ ପହଞ୍ଚିଯାଇଥିଲା। ନାସା ଓ SpaceX ଏହାର ଗତିପଥକୁ ଟ୍ରାକ୍ କରିଥିଲେ।
ଅଗଷ୍ଟ ୫ରେ ଧକ୍କା ପୂର୍ବରୁ ନାସା କହିଥିଲା ଯେ ଏହି ରକେଟ୍ ଷ୍ଟେଜ୍ ଚନ୍ଦ୍ରର Einstein ଓ Bell କ୍ରେଟର୍ ନିକଟରେ ଧକ୍କା ଦେଇପାରେ। NASAର Center for Near Earth Object Studies ମଧ୍ୟ ଗତିପଥ ବିଶ୍ଳେଷଣ କରି ଚନ୍ଦ୍ରରେ ଧକ୍କାର ସମ୍ଭାବନା ୧୦୦ ପ୍ରତିଶତ ବୋଲି ନିଶ୍ଚିତ କରିଥିଲା। ଏଭଳି ମାନବ ନିର୍ମିତ ବସ୍ତୁର ଚନ୍ଦ୍ରରେ ଧକ୍କା ଦୁର୍ଲଭ ହୋଇଥିବାରୁ ଏଥିରୁ ବୈଜ୍ଞାନିକମାନେ ଧୂଳି ଓ ପଥର କିପରି ବାହାରକୁ ଛିଟିଯାଏ, ଧକ୍କାରେ କିପରି ଗର୍ତ୍ତ ସୃଷ୍ଟି ହୁଏ ଏବଂ ଚନ୍ଦ୍ରର ପୃଷ୍ଠର ଗୁଣ କ’ଣ ତାହା ବୁଝିବାରେ ନୂଆ ତଥ୍ୟ ପାଇପାରିବେ। ନାସାର LRO ପୂର୍ବରୁ ମଧ୍ୟ ମାନବ ନିର୍ମିତ ବସ୍ତୁର ଧକ୍କାରୁ ସୃଷ୍ଟି ହୋଇଥିବା ଚନ୍ଦ୍ର ଗର୍ତ୍ତ ଚିହ୍ନଟ କରିଛି।ଚନ୍ଦ୍ରରେ ଦୃଶ୍ୟମାନ ହୋଇଥିବା ଏହି ନୂଆ ଗର୍ତ୍ତ ଏବେ ମହାକାଶ ଅନୁସନ୍ଧାନ, ଚନ୍ଦ୍ର ପୃଷ୍ଠର ବିଜ୍ଞାନ ଓ ଭବିଷ୍ୟତ ମିଶନ୍ ପାଇଁ ନୂଆ ଗବେଷଣା ତଥ୍ୟର ଉତ୍ସ ପାଲଟିଛି।
















Leave a Reply