ଆନ୍ଦୋଳନକାରୀ ଡ୍ରାଇଭରଙ୍କ ଗାଡ଼ି ଉପରେ ପରିବହନ ବିଭାଗର କଡ଼ା ନଜର! ଫିଟନେସ୍ ନଥିଲେ RC ବାତିଲ, ପେଣ୍ଡିଂ ଚାଲାଣ ଯାଞ୍ଚ

ଅକ୍ଷର ବ୍ୟୁରୋ: ମହାତ୍ମା ଗାନ୍ଧୀ ମାର୍ଗରେ ଡ୍ରାଇଭରଙ୍କ ଆନ୍ଦୋଳନ ପରେ ଏବେ ବଢ଼ିଛି ଅଡ଼ୁଆ । ଆନ୍ଦୋଳନରେ ସାମିଲ ଥିବା ଡ୍ରାଇଭରଙ୍କ ଗାଡ଼ି ଉପରେ କଡ଼ା ନଜର ରଖିଛି ପରିବହନ ବିଭାଗ । ଆନ୍ଦୋଳନକୁ ନେଇ ନୁହେଁ, ବରଂ ଗାଡ଼ିର କାଗଜପତ୍ର, ଫିଟନେସ୍ ଓ ଟ୍ରାଫିକ୍ ନିୟମ ପାଳନ ନେଇ ଯାଞ୍ଚ ଜୋରଦାର କରାଯାଇଛି । ଆନ୍ଦୋଳନରେ ସାମିଲ ଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିବା ବେଳେ ନିୟମ ଉଲ୍ଲଂଘନ ମିଳିଲେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି । ବିଶେଷକରି ଦୀର୍ଘଦିନ ଧରି ଫିଟନେସ୍ ଅପଡେଟ୍ ନଥିବା ଗାଡ଼ି ଉପରେ ବିଭାଗର ଫୋକସ୍ ରହିଛି ।

ଯେଉଁ ଗାଡ଼ିର ଫିଟନେସ୍ ଦୀର୍ଘଦିନ ଧରି ନଥିବା ଜଣାପଡ଼ୁଛି, ସେଗୁଡ଼ିକ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । ଆବଶ୍ୟକ କ୍ଷେତ୍ରରେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ବାତିଲ କରିବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ସେହିପରି ଅନେକ ଦିନ ଧରି ପେଣ୍ଡିଂ ରହିଥିବା ଚାଲାଣଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି । ବକେୟା ଚାଲାଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ଥିଲେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଏହାରି ଭିତରେ ନିଜ ଗାଡ଼ି ମୁକୁଳାଇବା ପାଇଁ ଗାଡ଼ି ମାଲିକମାନେ ଅସୁବିଧାରେ ପଡ଼ିଛନ୍ତି । ଗାଡ଼ିର କାଗଜପତ୍ର ଠିକ୍ ଅଛି କି ନାହିଁ, ଫିଟନେସ୍ ଅପଡେଟ୍ ଅଛି କି ନାହିଁ ଏବଂ କୌଣସି ଚାଲାଣ ବକେୟା ରହିଛି କି ନାହିଁ ସବୁ ଯାଞ୍ଚ ପରେ ହିଁ ଗାଡ଼ି ମୁକୁଳାଇବାର ପ୍ରକ୍ରିୟା ଆଗକୁ ବଢ଼ୁଛି ।

ଅର୍ଥାତ୍, ଆନ୍ଦୋଳନରେ ସାମିଲ ହୋଇଥିବାରୁ ଗାଡ଼ି ଜବତ କିମ୍ବା ଯାଞ୍ଚ କରାଯାଉଛି ଏଭଳି ନୁହେଁ । ଆନ୍ଦୋଳନରେ ସାମିଲ ହେବା ଏବଂ ଗାଡ଼ିର ନିୟମ ଉଲ୍ଲଂଘନ ଏହି ଦୁଇଟି ପ୍ରସଙ୍ଗକୁ ପୃଥକ ଭାବେ ଦେଖୁଛି ପରିବହନ ବିଭାଗ । ଯେଉଁ ଗାଡ଼ିର କାଗଜପତ୍ରରେ ତ୍ରୁଟି ରହିଛି କିମ୍ବା ନିୟମ ଅନୁସାରେ ଫିଟନେସ୍ ନାହିଁ, ସେଗୁଡ଼ିକ ବିରୋଧରେ ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଦୀର୍ଘଦିନର ପେଣ୍ଡିଂ ଚାଲାଣ ମଧ୍ୟ ଯାଞ୍ଚ ହେଉଛି । ଫଳରେ ଆନ୍ଦୋଳନ ପରେ ଏବେ ଗାଡ଼ିର କାଗଜପତ୍ର, ଫିଟନେସ୍ ଓ ନିୟମ ପାଳନକୁ ନେଇ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ଡ୍ରାଇଭର ଓ ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial