ବଢ଼ିଲା ସୌରିନ ଭଟ୍ଟଙ୍କ ଅଡୁଆ, ହଟିଲା ଅନ୍ତରୀଣ ସୁରକ୍ଷା

ଅକ୍ଷର ବ୍ୟୁରୋ: ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ସୌରିନଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନା (NBW) ଉପରେ ଥିବା ରହିତାଦେଶ ମଧ୍ୟ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ସୌରିନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ସହ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ନେଇଥିବା ଭଳି ସଙ୍ଗୀନ ଅଭିଯୋଗ ସୌରିନ ଭଟ୍ଟଙ୍କ ବିରୋଧରେ ରହିଛି। ଏନେଇ କଟକ ମହିଳା ଥାନାରେ ଏତଲା ହେବା ପରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ହାଇକୋର୍ଟ ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। କିନ୍ତୁ ଏହାପରେ ସେ ମହିଳା ଥାନାରେ ହାଜର ହୋଇନଥିବା ଅଭିଯୋଗ ରହିଛି। ପୁଲିସ ବାରମ୍ବାର ଖୋଜି ନପାଇବା ପରେ ତାଙ୍କ ପୈତୃକ ଘରେ ଲଟକା ଜାରି କରାଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୁଲିସ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା।

ସୂଚନା ଅନୁସାରେ, ୨୦୨୩ ମସିହାରେ ସୌରିନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୌରିନ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ହାଇକୋର୍ଟ NBW ଉପରେ ରହିତାଦେଶ ଜାରି କରିବା ସହ ସୌରିନଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୦ ତାରିଖରେ ସୌରିନଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାର ଥିଲା। ହେଲେ ସେ ଆତ୍ମସମର୍ପଣ କରିନଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ପାଳନ ନକରିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଫଳରେ ସୌରିନଙ୍କ ବିରୋଧରେ ଜାରି NBW ଉପରେ ଥିବା ରହିତାଦେଶକୁ ହଟାଇ ଦିଆଯାଇଛି। ଏବେ ନିମ୍ନ ଅଦାଲତ ସୌରିନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେଇପାରିବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସୌରିନ ଭଟ୍ଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial