ଅକ୍ଷର ବ୍ୟୁରୋ: ହିଜାବ ପିନ୍ଧିବାକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ । ଶିକ୍ଷାନୁଷ୍ଠାନ ଧାର୍ଯ୍ୟ କରିଥିବା ଡ୍ରେସ୍ କୋଡ୍କୁ ଛାତ୍ରଛାତ୍ରୀ ନିଜ ବ୍ୟକ୍ତିଗତ ପସନ୍ଦ ଅନୁସାରେ ବଦଳାଇବାକୁ ଦାବି କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ରୟାଗରାଜର ଏକ ବେସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ଜଣେ ନାବାଳିକା ଛାତ୍ରୀ ନିଜ ମାଆଙ୍କ ଜରିଆରେ ଦାଖଲ କରିଥିବା ଆବେଦନକୁ ଦୁଇଜଣିଆ ଖଣ୍ଡପୀଠ ଖାରଜ କରିଛନ୍ତି । ଛାତ୍ରୀ ଜଣକ ସ୍କୁଲ୍ ୟୁନିଫର୍ମ ସହ ହିଜାବ ବା ମୁଣ୍ଡ ଢାଙ୍କିବା ପୋଷାକ ପିନ୍ଧିବାକୁ ଅନୁମତି ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ହିଜାବ ପିନ୍ଧିବା ଇସଲାମ ଧର୍ମର ଏକ ଆବଶ୍ୟକୀୟ ଅଂଶ । ଏଥିସହ ସେ ଷଷ୍ଠ ଶ୍ରେଣୀରୁ ହିଜାବ ପିନ୍ଧି ସ୍କୁଲ୍ ଯାଇଆସୁଥିବା ମଧ୍ୟ ଆବେଦନରେ ଦର୍ଶାଇଥିଲେ । ମାମଲାର ଶୁଣାଣି କରି ଜଷ୍ଟିସ୍ ଜେ.ଜେ. ମୁନିର ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ୍ ଶୁକ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏକ ଶିକ୍ଷାନୁଷ୍ଠାନ ନିଜ ପରିସରରେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ ଲାଗୁ କରିପାରିବ । ଏହି ନିୟମ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଆବଶ୍ୟକ । କୋର୍ଟଙ୍କ ମତରେ, ୟୁନିଫର୍ମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା, ଶୃଙ୍ଖଳା ଓ ଅନୁଷ୍ଠାନର ଏକରୂପତା ବଜାୟ ରଖିବା । ବ୍ୟକ୍ତିଗତ ପସନ୍ଦ ଆଧାରରେ ୟୁନିଫର୍ମରେ ଅଲଗା ପରିବର୍ତ୍ତନକୁ ଅନୁମତି ଦିଆଗଲେ ଏହା ୟୁନିଫର୍ମର ମୂଳ ଉଦ୍ଦେଶ୍ୟକୁ ପ୍ରଭାବିତ କରିପାରେ ।
କୋର୍ଟ କହିଛନ୍ତି, ଜଣେ ଛାତ୍ରୀଙ୍କୁ ଡ୍ରେସ୍ କୋଡ୍ରୁ ଅଲଗା ଛାଡ଼ ଦିଆଗଲେ ଅନୁଷ୍ଠାନର ଶୃଙ୍ଖଳା ଓ ସମାନତା ପ୍ରଭାବିତ ହୋଇପାରେ । ତେଣୁ ବ୍ୟକ୍ତିଗତ ପସନ୍ଦ ଆଧାରରେ ନିର୍ଦ୍ଧାରିତ ୟୁନିଫର୍ମରେ ପରିବର୍ତ୍ତନ ଦାବି କରାଯାଇପାରିବ ନାହିଁ । ଏଥିସହ ଖଣ୍ଡପୀଠ ଏହି ମାମଲାରେ ହିଜାବ ପିନ୍ଧିବା ଇସଲାମ ଧର୍ମର ଏକ ଅପରିହାର୍ଯ୍ୟ ଧାର୍ମିକ ପ୍ରଥା ବୋଲି ପ୍ରମାଣିତ ହୋଇନଥିବା ମତ ମଧ୍ୟ ରଖିଛନ୍ତି । ଛାତ୍ରୀଙ୍କ ଆବେଦନକୁ ସ୍କୁଲ୍ କର୍ତ୍ତୃପକ୍ଷ, ଉତ୍ତରପ୍ରଦେଶ ସରକାର ଏବଂ CBSE ପକ୍ଷରୁ ବିରୋଧ କରାଯାଇଥିଲା । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି । ଏହି ରାୟ ପରେ ଶିକ୍ଷାନୁଷ୍ଠାନର ଡ୍ରେସ୍ କୋଡ୍, ଧାର୍ମିକ ପୋଷାକ ଓ ବ୍ୟକ୍ତିଗତ ପସନ୍ଦକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କୋର୍ଟଙ୍କ ରାୟର ମୁଖ୍ୟ ବାର୍ତ୍ତା—ଶିକ୍ଷାନୁଷ୍ଠାନ ଧାର୍ଯ୍ୟ କରିଥିବା ୟୁନିଫର୍ମ ନୀତି ନିୟମ ଅନୁଯାୟୀ ସମସ୍ତଙ୍କ ପାଇଁ ସମାନ ଭାବେ ପାଳନ କରାଯିବ।














Leave a Reply