ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ଖୁୱାଡ଼ିଆ ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ। ମୃତକମାନେ ହେଲେ ୧୯ ବର୍ଷୀୟ କୁନାଲ ସାନ୍ଦଗୁଡ଼େ, ତାଙ୍କ ପିତା ମୁରଲୀଧର ଏବଂ ମାତା ସଙ୍ଗୀତା ସାନ୍ଦଗୁଡ଼େ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ପଛରେ ଆଇଫୋନ୍କୁ ନେଇ କୌଣସି ବିବାଦ ନଥିବା ପରିବାରର ସମ୍ପର୍କୀୟମାନେ କହିଛନ୍ତି।
ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପାରିବାରିକ ଓ ସମ୍ପତ୍ତିଗତ ବିବାଦ ରହିଥିଲା। ବାପା-ମାଆଙ୍କ ମଧ୍ୟରେ ଥିବା ମତଭେଦର ସମାଧାନ କରି ସେମାନଙ୍କୁ ପୁଣି ଏକାଠି ଦେଖିବାକୁ କୁନାଲ ଚାହୁଁଥିଲେ ବୋଲି ସମ୍ପର୍କୀୟମାନେ ଦାବି କରିଛନ୍ତି। ଘଟଣା ସମୟରେ କୁନାଲ ପାହାଡ଼ ଉପରେ ଥିବା ଜଣାପଡ଼ିଛି। ତାଙ୍କୁ ନିରାପଦରେ ତଳକୁ ଆଣିବା ପାଇଁ ପୁଲିସ, ଅଗ୍ନିଶମ ବାହିନୀ ଓ ପରିବାର ଲୋକେ ଉଦ୍ୟମ କରୁଥିଲେ। ଏହି ସମୟରେ ଘଟିଥିବା ଅଘଟଣରେ ପରିବାରର ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ।
ପରେ ସମସ୍ତଙ୍କୁ ଘାଟୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। କୁନାଲ ଚଳିତ ବର୍ଷ ଦଶମ ପରୀକ୍ଷାରେ ୮୨ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ। ଆଗକୁ MBBS ପଢ଼ି ଡାକ୍ତର ହେବାର ସ୍ୱପ୍ନ ରଖିଥିଲେ ସେ। ମାତ୍ର ଏହି ଦୁଃଖଦ ଘଟଣାରେ ତାଙ୍କ ସହ ତାଙ୍କ ବାପା-ମାଆଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଘଟଣା ପରେ ପରିବାରର ପୋଷା କୁକୁର ‘ଶେରୁ’ ଦୁଇ ଦିନ ଧରି ଘର ଭିତରେ ରହିଥିଲା। ପରେ ପଡ଼ୋଶୀ ଓ ଏକ ପଶୁ କଲ୍ୟାଣ ସଂଗଠନ ତାକୁ ଉଦ୍ଧାର କରି ପୌରପାଳିକା ଆଶ୍ରୟସ୍ଥଳୀକୁ ନେଇଛନ୍ତି। ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।














Leave a Reply