ପୁଣି ଜେଲ୍ ବାହାରେ ରାମ ରହିମ୍, ୨୧ ଦିନିଆ ଫର୍ଲୋରେ ଗଲେ ଡେରା ମୁଖ୍ୟ

ଅକ୍ଷର ବ୍ୟୁରୋ: ପୁଣି ଜେଲ୍‌ରୁ ବାହାରିଛନ୍ତି ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମ୍ ସିଂହ। ହରିୟାଣାର ରୋହତକସ୍ଥିତ ସୁନାରିଆ ଜେଲରୁ ମଙ୍ଗଳବାର ସକାଳେ ସେ ୨୧ ଦିନିଆ ଫର୍ଲୋରେ ବାହାରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ପ୍ରାୟ ୬ଟା ୫ ମିନିଟ୍‌ରେ ଜେଲ୍ ପରିସର ଛାଡ଼ି ସେ ସିରସାସ୍ଥିତ ଡେରା ମୁଖ୍ୟାଳୟ ଅଭିମୁଖେ ଯାଇଥିବା ଜଣାପଡ଼ିଛି। ୨୦୨୦ ପରଠାରୁ ରାମ ରହିମ୍‌ଙ୍କୁ ମିଳିଥିବା ଅସ୍ଥାୟୀ ମୁକ୍ତି ମଧ୍ୟରେ ଏହା ୧୭ତମ ଥର ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସାଧ୍ବୀ ଯୌନ ନିର୍ଯାତନା ଏବଂ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାମ ରହିମ୍ ୨୦୧୭ ଅଗଷ୍ଟରୁ ସୁନାରିଆ ଜେଲରେ ଦଣ୍ଡ ଭୋଗୁଛନ୍ତି। ଗତ ଜୁନ୍ ୨୬ ତାରିଖରେ ୩୦ ଦିନିଆ ପାରୋଲ ଶେଷ କରି ସେ ଜେଲକୁ ଫେରିଥିଲେ। ଏହାର ଦୁଇ ମାସ ନପୂରୁଣୁ ପୁଣି ତାଙ୍କୁ ୨୧ ଦିନର ଫର୍ଲୋ ମିଳିଛି। ଚଳିତ ବର୍ଷ ଜାନୁଆରୀରେ ସେ ୪୦ ଦିନିଆ ଏବଂ ମେ’ ମାସରେ ୩୦ ଦିନିଆ ପାରୋଲରେ ଜେଲରୁ ବାହାରିଥିଲେ। ବାରମ୍ବାର ଅସ୍ଥାୟୀ ମୁକ୍ତି ମିଳିବାକୁ ନେଇ ଏବେ ସାମାଜିକ ଓ ରାଜନୈତିକ ସ୍ତରରେ ପ୍ରଶ୍ନ ଉଠୁଛି।

ହରିୟାଣା ଅସ୍ଥାୟୀ ମୁକ୍ତି ଆଇନ, ୨୦୨୨ ଅନୁଯାୟୀ କଏଦୀଙ୍କୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୭୦ ଦିନ ପାରୋଲ ଏବଂ ୨୧ ଦିନ ଫର୍ଲୋ ମିଳିବାର ପ୍ରାବଧାନ ରହିଛି।ସରକାରୀ ଜେଲ୍ ରେକର୍ଡରେ ରାମ ରହିମ୍‌ଙ୍କ କଏଦୀ ନମ୍ବର ୮୬୪୭/ସି ରହିଛି। ୨୦୨୦ ଅକ୍ଟୋବରରେ ପ୍ରଥମ ଥର ପାଇଁ ଗୋଟିଏ ଦିନର ଅସ୍ଥାୟୀ ମୁକ୍ତି ପାଇବା ପରଠାରୁ ବିଭିନ୍ନ ସମୟରେ ପାରୋଲ ଓ ଫର୍ଲୋ ଜରିଆରେ ସେ ଜେଲ୍‌ରୁ ବାହାରିଛନ୍ତି। ଗୁରୁତର ଅପରାଧିକ ମାମଲାରେ ଦଣ୍ଡାଦେଶ ପାଇଥିବା ରାମ ରହିମ୍‌ଙ୍କୁ ବାରମ୍ବାର ପାରୋଲ ଓ ଫର୍ଲୋ ମିଳିବା ଏବେ ପୁଣି ଚର୍ଚ୍ଚାର କାରଣ ପାଲଟିଛି। ତାଙ୍କର ଏହି ଅସ୍ଥାୟୀ ମୁକ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଓ ସମାଲୋଚନା ଜାରି ରହିଛି। ଏବେ ୨୧ ଦିନିଆ ଫର୍ଲୋ ସମୟରେ ସେ ସିରସାସ୍ଥିତ ଡେରା ମୁଖ୍ୟାଳୟରେ ରହିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial