ଅନଲାଇନ୍‌ରେ ବିଷାକ୍ତ ‘ଦୁର୍ଦୁରା’ ଫଳ-ମଞ୍ଜି ବିକ୍ରି, ୩ ବଡ଼ ପ୍ଲାଟଫର୍ମ ଉପରେ କଡ଼ା ଆକ୍ସନ

ଅକ୍ଷର ବ୍ୟୁରୋ: ଅନଲାଇନ୍‌ରେ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ବିକ୍ରି ଅଭିଯୋଗକୁ ନେଇ କର୍ଣ୍ଣାଟକ ସରକାରଙ୍କ ବଡ଼ ଆକ୍ସନ । ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ଏହି ବିଷାକ୍ତ ସାମଗ୍ରୀ ଅନଲାଇନ୍ ପ୍ଲାଟଫର୍ମରେ ତାଲିକାଭୁକ୍ତ ହୋଇ ବିକ୍ରି ହେଉଥିବା ଜଣାପଡ଼ିବା ପରେ ଆମାଜନ୍‌, ସ୍ବିଗି ଇଂଷ୍ଟାମାର୍ଟ ଓ ବିଗବାସ୍କେଟର ଫୁଡ୍ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। କର୍ଣ୍ଣାଟକ ସରକାରଙ୍କ ଫୁଡ୍ ସେଫ୍ଟି ବିଭାଗ ଅନୁସାରେ, ଏଫଏସଏସଏଆଇ ଲାଇସେନ୍ସ କିମ୍ବା ପଞ୍ଜୀକରଣ ଆଢୁଆଳରେ ଅନଲାଇନ୍ ପ୍ଲାଟଫର୍ମରେ ‘ଦୁର୍ଦୁରା’ ଫଳ ଓ ମଞ୍ଜି ବିକ୍ରି ପାଇଁ ତାଲିକାଭୁକ୍ତ ହୋଇଥିଲା । ଏହି ଉଦ୍ଭିଦକୁ ଇଂରାଜୀରେ ‘ଥୋର୍ନ ଆପଲ୍’ ଏବଂ ତାମିଲରେ ‘ଉମଥାଇ’ ବୋଲି କୁହାଯାଏ । ବିଭାଗର ଚେତାବନୀ ଅନୁସାରେ, ଏହାର ଫଳ କିମ୍ବା ମଞ୍ଜି ସେବନ କଲେ ମାନବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପଡ଼ିପାରେ । ତେଣୁ ଏଭଳି ସାମଗ୍ରୀକୁ ଖାଦ୍ୟ ଭାବେ ବିକ୍ରି କରାଯିବାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ସମ୍ପୃକ୍ତ ପ୍ଲାଟଫର୍ମଗୁଡ଼ିକ ନିଜ ଆପ୍ ଓ ୱେବସାଇଟ୍‌ରୁ ଦୁର୍ଦୁରା ସମ୍ପର୍କିତ ସମସ୍ତ ଲିଷ୍ଟିଂ, ବିଜ୍ଞାପନ ଓ ପ୍ରଚାର ସାମଗ୍ରୀ ତୁରନ୍ତ ହଟାଇବେ । ଏଥିସହ ଏହି ସାମଗ୍ରୀ ଯୋଗାଉଥିବା ବିକ୍ରେତା ଓ ସଂସ୍ଥାଗୁଡ଼ିକର ଲାଇସେନ୍ସ ଏବଂ ପଞ୍ଜୀକରଣକୁ ମଧ୍ୟ ସସପେଣ୍ଡ କରିବାକୁ ଫୁଡ୍ ସେଫ୍ଟି ଅଧିକାରୀମାନଙ୍କୁ କୁହାଯାଇଛି ।ତିନୋଟି ପ୍ଲାଟଫର୍ମକୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସମ୍ପୃକ୍ତ ସଂସ୍ଥାଗୁଡ଼ିକ ନିୟମ ଅନୁସାରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରି ନିଜ ପକ୍ଷ ରଖିବାର ସୁଯୋଗ ପାଇବେ । ଏହା ପରେ ହିଁ ଲାଇସେନ୍ସ ଉପରେ ଲାଗିଥିବା ସସପେନ୍ସନ୍ ହଟାଯିବ କି ନାହିଁ, ସେନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଅର୍ଥାତ୍‌, ଅନଲାଇନ୍ ଫୁଡ୍ ପ୍ଲାଟଫର୍ମରେ ବିଷାକ୍ତ ଓ ଅନୁପଯୁକ୍ତ ସାମଗ୍ରୀର ବିକ୍ରି ରୋକିବାକୁ କର୍ଣ୍ଣାଟକ ସରକାର ଏବେ ଲାଇସେନ୍ସ ସ୍ତରରେ କଡ଼ା ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial