ସ୍କୁଲ ୟୁନିଫର୍ମ ସହ ହିଜାବ ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ

ଅକ୍ଷର ବ୍ୟୁରୋ: ସ୍କୁଲ ୟୁନିଫର୍ମ ସହ ହିଜାବ କିମ୍ବା ମୁଣ୍ଡରେ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦେବା ଦାବିରେ ଦାଖଲ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଆଲ୍ଲାହାବାଦ ହାଇକୋର୍ଟ। ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ସ୍କୁଲର ଏକାଦଶ ଶ୍ରେଣୀର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ ଡିଭିଜନ୍ ବେଞ୍ଚ ଖାରଜ କରିଛନ୍ତି। ଏଥିସହ ସ୍କୁଲର ନିର୍ଦ୍ଧାରିତ ୟୁନିଫର୍ମ ନୀତି ଲାଗୁ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ।

ଛାତ୍ରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଇସଲାମ ଧର୍ମର ଅଂଶ ଭାବେ ସେ ହିଜାବ ପିନ୍ଧୁଛନ୍ତି। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ ହିଜାବ ପିନ୍ଧି ସ୍କୁଲ ଯାଉଥିଲେ ଏବଂ ସେତେବେଳେ ସ୍କୁଲ ପକ୍ଷରୁ କୌଣସି ଆପତ୍ତି କରାଯାଇନଥିଲା ବୋଲି ଦାବି କରିଥିଲେ। ତେଣୁ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, କେବଳ କୌଣସି ପ୍ରଥାକୁ ଧାର୍ମିକ ବୋଲି ଦାବି କରିଦେଲେ ତାହାକୁ ସ୍ୱତଃସ୍ଫୂର୍ତ୍ତ ଭାବେ ଆଇନଗତ ସୁରକ୍ଷା ମିଳିପାରିବ ନାହିଁ। ଇସଲାମ ଧର୍ମରେ ହିଜାବ କିମ୍ବା ମୁଣ୍ଡ ଢାଙ୍କିବା ଏକ ଅନିବାର୍ଯ୍ୟ ଧାର୍ମିକ ପ୍ରଥା ବୋଲି ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ଧାର୍ମିକ କିମ୍ବା ଆଇନଗତ ଆଧାର କୋର୍ଟଙ୍କ ସମ୍ମୁଖରେ ରଖାଯାଇନଥିଲା।

ହାଇକୋର୍ଟ ସ୍କୁଲର ନିର୍ଦ୍ଧାରିତ ଡ୍ରେସ୍ କୋଡ୍‌କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। କୋର୍ଟଙ୍କ ମତରେ, ଯଦି ଏକ ଶିକ୍ଷାନୁଷ୍ଠାନର ୟୁନିଫର୍ମ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ, ଭେଦଭାବମୁକ୍ତ ଏବଂ ଶୃଙ୍ଖଳା ଓ ଅନୁଷ୍ଠାନର ପରିଚୟ ବଜାୟ ରଖିବା ଉଦ୍ଦେଶ୍ୟରେ ରହିଛି, ତେବେ ବ୍ୟକ୍ତିଗତ ପସନ୍ଦ ଆଧାରରେ ଏଥିରେ ପରିବର୍ତ୍ତନ ଦାବି କରାଯାଇପାରିବ ନାହିଁ। ପୂର୍ବରୁ ସ୍କୁଲ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିଲା ବୋଲି ଛାତ୍ରୀଙ୍କ ଯୁକ୍ତିକୁ ମଧ୍ୟ କୋର୍ଟ ଗ୍ରହଣ କରିନାହାନ୍ତି। ପୂର୍ବରୁ ଅନୁମତି ମିଳିଥିବାରୁ ଭବିଷ୍ୟତରେ ମଧ୍ୟ ହିଜାବ ପିନ୍ଧିବାର ଆଇନଗତ ଅଧିକାର ସୃଷ୍ଟି ହୁଏ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ୍ ଜେ.ଜେ. ମୁନୀର ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ ଶୁକ୍ଳାଙ୍କ ଡିଭିଜନ୍ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ମାମଲାରେ କୋର୍ଟ ପୂର୍ବରୁ ଆସିଥିବା ବିଭିନ୍ନ ହାଇକୋର୍ଟଙ୍କ ରାୟକୁ ମଧ୍ୟ ବିଚାରକୁ ନେଇଥିଲେ। କର୍ଣ୍ଣାଟକ ହାଇକୋର୍ଟର ପୂର୍ବ ରାୟର ଉଦାହରଣ ଦେଇ ଏହି ମାମଲାରେ ଭିନ୍ନ ମତ ନେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ଶେଷରେ ଛାତ୍ରୀଙ୍କ ଆବେଦନ ଖାରଜ କରି ସ୍କୁଲକୁ ତା’ର ନିର୍ଦ୍ଧାରିତ ୟୁନିଫର୍ମ ନୀତି ଲାଗୁ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଡ୍ରେସ୍ କୋଡ୍ ଏବଂ ଧାର୍ମିକ ସ୍ୱାଧୀନତା ମଧ୍ୟରେ ସମନ୍ୱୟକୁ ନେଇ ଏହି ରାୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial