ଅକ୍ଷର ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ପରିଷଦ ସଂଘ । ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ, ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଏବଂ ଅଧ୍ୟାପକ-କର୍ମଚାରୀଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ନେଇ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ରେଭେନ୍ସାର ସାମଗ୍ରିକ ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାରଙ୍କ ଉପଯୁକ୍ତ ହସ୍ତକ୍ଷେପ ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଛି । ବିଶେଷକରି ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସର ସୀମିତ ବ୍ୟବହାରକୁ ନେଇ ପରିଷଦ ଚିନ୍ତା ପ୍ରକାଶ କରିଛି । ଦ୍ୱିତୀୟ କ୍ୟାମ୍ପସକୁ ସଂପୂର୍ଣ୍ଣ ଉପଯୋଗୀ କରାଯାଇ ଏହାର ଭିତ୍ତିଭୂମି ଓ ଶିକ୍ଷାଗତ ସମ୍ଭାବନାର ପୂର୍ଣ୍ଣ ବ୍ୟବହାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ମାଲିକାନାରେ ଥିବା ଜମିଗୁଡ଼ିକୁ ରାଜ୍ୟର ରାଜସ୍ୱ ରେକର୍ଡରେ ଔପଚାରିକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ପଞ୍ଜୀକରଣ କରିବାକୁ ପରିଷଦ ଦାବି ରଖିଛି । ବିଶ୍ୱବିଦ୍ୟାଳୟର ଜମି ଓ ସମ୍ପତ୍ତିର ସୁରକ୍ଷା ସହ ଭବିଷ୍ୟତର ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ପରିଷଦ ଦର୍ଶାଇଛି ।
ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଣ-ଶିକ୍ଷକ ପଦବୀକୁ ଶୀଘ୍ର ଏବଂ ସ୍ଥାୟୀ ଭାବେ ପୂରଣ କରିବାକୁ ମଧ୍ୟ ଦାବି ହୋଇଛି । ଡେଭଲପମେଣ୍ଟ ଅଫିସର, ଡେପୁଟି ରେଜିଷ୍ଟ୍ରାର, ଡେପୁଟି କଣ୍ଟ୍ରୋଲର ଅଫ୍ ଏଗଜାମିନେସନ, ଇଞ୍ଜିନିୟର ଏବଂ ଚିକିତ୍ସା କର୍ମଚାରୀଙ୍କ ସମେତ ଅନେକ ପଦବୀ ଖାଲି ଥିବାରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବା ପରିଷଦ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ମତଭେଦ ଓ ଫାଟ ସୃଷ୍ଟି ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ପରିଷଦ ଗଠନ ହୋଇଥିଲା । ପରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗରେ ସରକାରଙ୍କ ଉପଯୁକ୍ତ ହସ୍ତକ୍ଷେପ ପାଇଁ ପରିଷଦ ପକ୍ଷରୁ ଦାବି ରଖାଯାଇଛି । ରେଭେନ୍ସାର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ ଢାଞ୍ଚା ଓ ଭିତ୍ତିଭୂମିର ବିକାଶ ସହ ଦ୍ୱିତୀୟ କ୍ୟାମ୍ପସର ସଠିକ୍ ବ୍ୟବହାର, ଜମି ସମ୍ପତ୍ତିର ସୁରକ୍ଷା ଏବଂ ଖାଲି ପଦବୀ ପୂରଣ ଦିଗରେ ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ଶିକ୍ଷକ ପରିଷଦ ଆଶା ପ୍ରକାଶ କରିଛି ।














Leave a Reply