ଗୁମ୍ମା ଘାଟିରେ ଟ୍ରକ୍-ଟ୍ୟାଙ୍କର ଧକ୍କା, ରାଜପଥରେ ଲମ୍ବା ଲାଇନ୍

ରାୟଗଡ଼ା: ପୁଣି ଗୁମ୍ମା ଘାଟିରେ ଟ୍ରାଫିକ୍ ଯନ୍ତ୍ରଣା । ଗତକାଲି ଦୁର୍ଘଟଣା ଯୋଗୁଁ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଜାମ୍ ରହିଥିବା ବେଳେ ଆଜି ପୁଣି ୮ ଘଣ୍ଟା ଧରି ଅବରୋଧ ହୋଇଛି ଜାତୀୟ ରାଜପଥ-୩୨୬ । ଫଳରେ ରାୟଗଡ଼ାରୁ କାଶୀପୁର ଓ କୋରାପୁଟ ଦିଗକୁ ଯାତାୟାତ ପ୍ରାୟ ଠପ୍ ହୋଇପଡ଼ିଛି । ଶହ ଶହ ଚାରିଚକିଆ ଯାନ, ବସ୍ ଓ ପଣ୍ୟବାହୀ ଗାଡ଼ି ରାସ୍ତାରେ ଅଟକି ରହିବାରୁ ଯାତ୍ରୀ ଓ ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁସାରେ, ରାୟଗଡ଼ା ସଦର ବ୍ଲକ୍‌ର ଗୁମ୍ମା ଅଞ୍ଚଳ ଘାଟି ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଟ୍ରକ୍ ରାସ୍ତାରେ ଅଟକିଥିଲା । ମଧ୍ୟରାତ୍ରିରେ ଗୁମ୍ମା ଘାଟିର ଏକ ବୁଲାଣିରେ ଅଟକିଥିବା ଟ୍ରକ୍‌କୁ ଅନ୍ୟ ଏକ ଟ୍ୟାଙ୍କର ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ରାସ୍ତା ଅବରୋଧ ହୋଇଯାଇଥିଲା । ଏହାର ପ୍ରଭାବରେ ଦୀର୍ଘ ୮ ଘଣ୍ଟା ଧରି NH-326ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ରାୟଗଡ଼ା ପୁଲିସ ଓ କୁମ୍ବିକୋଟା ଥାନା ପୁଲିସ ପହଞ୍ଚି ଉଦ୍ଧାର ଓ ରାସ୍ତା ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଅଟକି ରହିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ।

ଗୁମ୍ମା ଘାଟିର ଏକ ନିର୍ଦ୍ଦିଷ୍ଟ ବୁଲାଣିରେ ଭାରୀଯାନ ଚଳାଚଳ ବାରମ୍ବାର ବିପଦଜନକ ହେଉଥିବା ଅଭିଯୋଗ ହେଉଛି । ରାସ୍ତାର ଅବସ୍ଥା ଖରାପ ଥିବାରୁ ଭାରୀଯାନଗୁଡ଼ିକ ବୁଲାଣି ଅତିକ୍ରମ କରିବାରେ ସମସ୍ୟା ଭୋଗୁଛନ୍ତି । ଏହା ଯୋଗୁଁ ଦୁର୍ଘଟଣା ସହ ରାସ୍ତା ଅବରୋଧ ଘଟଣା ମଧ୍ୟ ବାରମ୍ବାର ଘଟୁଛି । ଘାଟିର ଏହି ବୁଲାଣିକୁ ପ୍ରଶସ୍ତ କରିବା ସହ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଛନ୍ତି । ତଥାପି ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ଲଗାତାର ଦୁଇଦିନ ଧରି ଦୁର୍ଘଟଣା ଓ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ପରେ ଗୁମ୍ମା ଘାଟିର ସୁରକ୍ଷା ଓ ରାସ୍ତାର ଭିତ୍ତିଭୂମି ନେଇ ପୁଣି ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial