ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ। ଆଜି ମଧ୍ୟ ସରଗରମ ରହିପାରେ ଗୃହ। ଆଜି ନାରୀ ସୁରକ୍ଷା ନେଇ ବିରୋଧୀ, ସରକାରୀ ଦଳକୁ ଘେରିପାରନ୍ତି। ହୋହଲ୍ଲା, ହଟ୍ଟଗୋଳ, ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ। ଯାହାକୁ ନେଇ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ୱାଭାବିକ ହୋଇପାରିନି ଗୃହ। ବିରୋଧୀ ବିଜେଡିର ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ବାରମ୍ବାର ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ଧୋଇଯାଇଛି ପ୍ରଶ୍ନକାଳ, ଶୂନ୍ୟକାଳ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ଆଲୋଚନା ନହେବାରୁ ସକାଳ ଭଳି ଅପରାହ୍ନରେ ମଧ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ। ଗାନ୍ଧୀମୂର୍ତ୍ତି ତଳେ ବସି ପ୍ରତିବାଦ କରିଛନ୍ତି ଦଳର ବିଧାୟକ।
ଅନ୍ୟପଟେ ବିଜେପି-ବିଜେଡିକୁ ଭାଇ-ଭାଇ କହି କଟାକ୍ଷ କରିଛି କଂଗ୍ରେସ। ଯାହାର ଜବାବ ରଖିଛି ଶାସକ ବିଜେପି। ଗୃହର ଅଚଳାବସ୍ଥା ଦୂର କରିବାକୁ ଚଳିତ ଅଧିବେଶନରେ ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ସେପଟେ ପୁଣିଥରେ ଅନାସ୍ଥାରେ ଅଡି ବସିଛି କଂଗ୍ରେସ। ଯାହାକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ଗୋଟିଏ ଅଧିବେଶନରେ ସମାନ ପ୍ରସଙ୍ଗରେ ୨ଥର ଅନାସ୍ଥା ଆସିପାରିବନି ବୋଲି କହିଛନ୍ତି ବାଚସ୍ପତି। ୫ ଦିନରେ ମାତ୍ର ୫ ଘଣ୍ଟାରୁ ଅଧିକ ଚାଲିପାରିନି ଗୃହ । ଦୈନିକ ଅଧିବେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଶାସକ-ବିରୋଧୀଙ୍କ କାଦୁଅଫିଙ୍ଗା ରାଜନୀତି ଭିତରେ ଗୃହର ଅଚଳାବସ୍ଥା। ଏଥିପାଇଁ ଦାୟୀ କିଏ?












Leave a Reply