ଦିନକ ପୂର୍ବରୁ ସରିଲା ବିଧାନସଭାର ସ୍ୱଳ୍ପ କାଳୀନ ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଅଧିବେଶନ କାଳରେ ୬ଟି କାର୍ଯ୍ୟ ଦିବସ ସମାପନ ହୋଇଛି । ୨ଟି ସରକାରୀ ବିଲ ବିଚାର ପାରିତ କରାଯାଇଛି । ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜି ସେପ୍ଟେମ୍ବର ୨୫ ତାରିଖ ଯାଏଁ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଗତକାଲି (ବୁଧବାର) ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି । ଗୃହରେ ହଟ୍ଟଗୋଳ ଯୋଗୁ ଅଧିବେଶନର ପ୍ରଥମ ୪ଦିନ ଧୋଇ ଯାଇଥିଲା । ସାର କଳାବଜାରୀ, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ନାରାବାଜି ଦେଇଥିଲା ବିଜେଡି । ସେହିପରି ମହିଳା ଅସୁରକ୍ଷିତ ପ୍ରସଙ୍ଗରେ ମଧ୍ୟ ଅଧିବେଶନ ସରଗରମ ହୋଇଥିଲା । କଂଗ୍ରେସ ଦଳ ପକ୍ଷରୁ ଦୁଇ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା, କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ।
ଏହି ଅଧିବେଶନରେ ଗୃହରେ ବିରୋଧୀ ଦଳ BJD ଓ କଂଗ୍ରେସ ପକ୍ଷରୁ ବାରମ୍ବାର ବାଧା ଉପୁଜିଥିଲା । ଗୋଟିଏ ଦିନ ମଧ୍ୟ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିନଥିଲା । ବିଧାନସଭାର ଦ୍ୱିତୀୟ ଦିନରୁ ବିରୋଧୀ ବିଜେଡି ଓ କଂଗ୍ରେସ ବାରମ୍ବାର ହୋହାଲ୍ଲା କରିଥିଲେ । ଦ୍ୱିତୀୟ ଦିନରେ ବିଜେଡି ବିଧାୟକମାନେ ରାଜ୍ୟରେ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଦିଆଯାଉ ନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ଏକାଧିକ ଥର କକ୍ଷତ୍ୟାଗ କରିଥିଲେ ।












Leave a Reply