ଅକ୍ଷର ବ୍ୟୁରୋ: ଖରା ତାତି ସହ କଲବଲ କରୁଛି ଗୁଳୁଗୁଳି । ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ବଢୁଛି ହିଟ୍ ଇଣ୍ଡେକ୍ସ । ଆଉ ଏଥିଯୋଗୁଁ ଝାଳନାଳ ହୋଇପଡୁଛନ୍ତି ରାଜ୍ୟବାସୀ । ପଶ୍ଚିମ ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି । କ୍ରମାଗତ ଭାବେ ରାଜଧାନୀରେ ୪ଦିନ ହେବେ ସକାଳୁ ସକାଳୁ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ୯ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨.୬ ଛୁଇଁଛି । ଦିନ ସାଢେ ୧୧ଟା ବେଳକୁ ପାରଦ ୩୫ ଡିଗ୍ରୀ ପାର କରୁଛି । ତାତି କମ୍ ଥିଲା ହେଲେ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ସହରବାସୀ । ଗୁଳୁଗୁଳି ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ ତାତି ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି । ଭୁବନେଶ୍ୱରରେ ଶୁକ୍ରବାର ତାପମାତ୍ରା ୩୭ ଡିଗ୍ରୀ ରେର୍କଡ କରାଯାଇଛି । ହେଲେ ତାତି ୫୪ ଡିଗ୍ରୀ ଭଳି ଅନୁଭବ ଦେଇଛି ।
ସେହିପରି ଝାରସୁଗୁଡା ୩୫.୬, ବାଲେଶ୍ୱର ୩୨.୪, ପାରାଦୀପ ୩୨.୨, ପୁରୀ ୩୧.୮, ଗୋପାଳପୁର ୨୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କେନ୍ଦ୍ରୀୟ ଭାରତ ତଥା ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ରାଜ୍ୟକୁ ପ୍ରବେଶ କରୁଛି । ଯାହା ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହେଉଛି । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି ଉଚ୍ଚ ତାପମାତ୍ରା । ସେହିଭଳି ବଙ୍ଗୋପସାଗରରୁ ପୂର୍ବାଲି ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ଉପକୂଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ପାଉଛି । ମେ’ଶେଷ ସପ୍ତାହ ପର୍ଯ୍ୟନ୍ତ ଏମିତି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।















Leave a Reply