ସୁନାବେଡ଼ା ସୀମାରେ ବଡ଼ ବନ୍ୟଜନ୍ତୁ ଚାଲାଣ ରାକେଟ୍ ଠାବ; ବାଘଛାଲ ଜବତ, ୨ ଅନ୍ତଃରାଜ୍ୟ ଚୋରାଚାଲାଣକାରୀ ଗିରଫ

ଅକ୍ଷର ବ୍ୟୁରୋ: ଓଡ଼ିଶା–ଛତିଶଗଡ଼ ସୀମାରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତରେ ଥିବା ଉଦନ୍ତୀ–ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ବାଘଛାଲ ଜବତ କରାଯାଇଥିବା ବେଳେ, ଘଟଣାରେ ଦୁଇ ଜଣ ଅନ୍ତଃରାଜ୍ୟ ବନ୍ୟଜନ୍ତୁ ଅଙ୍ଗ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ ବାଘଛାଲ ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଗୁପ୍ତ ଖବର ମିଳିଥିଲା। ଏହାପରେ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଚଢ଼ାଉ କରି ଭାନୁପ୍ରତାପପୁର ଗାଁ ନିକଟରେ ଏକ ବାଇକ୍‌କୁ ଅଟକାଇଥିଲେ। ଯାଞ୍ଚ ବେଳେ ବାଘଛାଲ ଜବତ ହେବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଅନ୍ତଃରାଜ୍ୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ତଦନ୍ତକାରୀ ଅଧିକାରୀଙ୍କ ଅନୁମାନ ଅନୁଯାୟୀ, ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲ ଅଞ୍ଚଳରେ ବାଘଟିକୁ ଶିକାର କରାଯାଇଥାଇପାରେ ଏବଂ ପରେ ଏହାର ଛାଲ ଚୋରାଚାଲାଣ କରାଯାଉଥିଲା। ତେବେ ଏହାର ପ୍ରକୃତ ଉତ୍ସ, ଚୋରାଚାଲାଣ ନେଟୱାର୍କ ଏବଂ ଏଥିରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି। ଅନ୍ୟପଟେ, ଅଭିଯୁକ୍ତମାନଙ୍କର ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ବନ ବିଭାଗ ଏବେ ଏହି ଚୋରାଚାଲାଣ ଚକ୍ରର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ସହ ବନ୍ୟଜନ୍ତୁ ଶିକାର ଏବଂ ଅଙ୍ଗ ଚୋରାଚାଲାଣର ସମ୍ପୂର୍ଣ୍ଣ ନେଟୱାର୍କର ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)