ଅକ୍ଷର ବ୍ୟୁରୋ: ପୋଲିସକୁ ମିଳିଲା ବଡ଼ ସଫଳତା । ଚୌଦ୍ୱାର ସର୍କଲ ଜେଲର ଫେରାର କଏଦୀ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀଙ୍କୁ ଗିରଫ କଲା ପୋଲିସ । ଉତ୍ତରାଖଣ୍ଡର ଋଷିକେଶ ଅଞ୍ଚଳରେ ଲୁଚିଥିବା ବେଳେ ରାଜାକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ବର୍ତ୍ତମାନ ରାଜାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି ପୋଲିସ । ପୂର୍ବରୁ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କରିଥିଲା କମିଶନରେଟ ପୋଲିସ ।
ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣାସ୍ଥଳରୁ ଧରି ପୋଲିସର ଜିମା ଦେଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ରାୟ ଓ ଅନ୍ୟଜଣେ ଅଭିଯୁକ୍ତ ରଞ୍ଜିତ ଚୌଧୁରୀକୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରି ଜେଲ ପଠାଇ ଥିଲା । ହେଲେ ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍ରୁ ଚମ୍ପଟ ମାରିଥିଲେ । ପୁରା ସହର ଭସାଣି ଉତ୍ସବରେ ଥିବା ବେଳେ ଏହି କଏଦୀ ଦୁଇ ଜଣ ଜେଲର ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ତେବେ ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ଏବଂ ପୋଲିସ ବିଭାଗକୁ ସମାଲୋଚନା କରାଯାଇଥିଲା ।












Leave a Reply