ଅକ୍ଷର ବ୍ୟୁରୋ: ସକାଳୁ ସକାଳୁ ରାଉରକେଲାରେ ପୁଣି ଚର୍ଚ୍ଚାରେ ପୋଲିସ ଏନକାଉଣ୍ଟର। ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଝିରପାଣି ଥାନା ଅଞ୍ଚଳରେ ହୋଇଥିବା ଏହି ଅପରେସନ୍ରେ ଉଭୟ ଅଭିଯୁକ୍ତ ଆହତ ହୋଇଥିବାବେଳେ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେକ୍ଟର-୬ ଅଞ୍ଚଳର ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତ ଫେରାର ଥିଲେ। ଉଭୟ ଝିରପାଣି ଅଞ୍ଚଳରେ ଲୁଚି ରହିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଦୁଇ ଅଭିଯୁକ୍ତ ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ। ଅଭିଯୋଗ ଅନୁସାରେ, ସେମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ପାଲଟା ଫାୟାରିଂ କରିଥିଲା। ଏଥିରେ ଚୁନୁ ଓ ସୁଶାନ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେମାନେ ଆହତ ହୋଇଥିଲେ। ଘଟଣା ପରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।











Leave a Reply