ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ବନ୍ୟାଜଳ; ବଢ଼ିଲା ବିପଦ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ମନ୍ଦିର ବେଢ଼ାକୁ ବନ୍ୟାଜଳ ଛୁଇଁଛି। ମହାନଦୀର ବଢ଼ିପାଣି ମନ୍ଦିର ପରିସରରେ ପ୍ରବେଶ କରିବା ପରେ ସ୍ଥାନୀୟ ଲୋକଙ୍କ ସହ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ମହାନଦୀର ଜଳସ୍ତର ବୃଦ୍ଧି ସହ ବନ୍ୟାଜଳ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ ପରିସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏପର୍ଯ୍ୟନ୍ତ ଦେବୋତ୍ତର ବିଭାଗ କିମ୍ବା ତହସିଲ ପ୍ରଶାସନ ପକ୍ଷରୁ କୌଣସି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କିମ୍ବା ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହେଉଛି।

ଅନ୍ୟପଟେ, ମହାନଦୀର ବଢ଼ିପାଣି ଦେଖିବା ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଭଟ୍ଟାରିକା ପୀଠକୁ ଆସୁଛନ୍ତି। ଜନସମାଗମ ବଢ଼ୁଥିବା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥା ସେତେଟା କଡ଼ାକଡ଼ି ନଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ମନ୍ଦିର ପରିସର ଏବଂ ନଦୀକୂଳରେ ତୁରନ୍ତ ବ୍ୟାରିକେଡ୍, ସୁରକ୍ଷାକର୍ମୀ ମୁତୟନ ଓ ସତର୍କତାମୂଳକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ମହାନଦୀର ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିଲେ ମଧ୍ୟ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)