ଶିକ୍ଷକ ବଦଳି ପ୍ରକ୍ରିୟା ଅବହେଳାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ; ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ଅନୁସାରେ, ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି ଆବେଦନ ପଠାଇବା ପାଇଁ ୧୦ ମେ ୨୦୨୬ ତାରିଖ ଶେଷ ସମୟସୀମା ରହିଥିଲା । କିନ୍ତୁ ଅନେକ ବିଇଓ ଏହାକୁ ଅବହେଳା କରି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫରୱାର୍ଡ କରିନଥିବା ଜଣାପଡ଼ିଛି । ଏହାକୁ ଗୁରୁତର ପ୍ରଶାସନିକ ଅନୁଶାସନହୀନତା ଭାବେ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ସନ୍ତୋଷଜନକ ଉତ୍ତର ନମିଳିଲେ ସମ୍ପୃକ୍ତ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ପଦକ୍ଷେପ ନିଆଯିବ । 

କାରଣ ଦର୍ଶାଅ ନୋଟିସ ପାଇଥିବା ବିଇଓମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସହ ବିଭିନ୍ନ ଜିଲ୍ଲାର ଅଧିକାରୀ ଅଛନ୍ତି । କେତେକ ବ୍ଲକ୍‌ରେ ବହୁ ସଂଖ୍ୟାରେ ଆବେଦନ ଆସିଥିଲେ ମଧ୍ୟ ଗୋଟିଏ ମଧ୍ୟ ଆବେଦନ ଫରୱାର୍ଡ ହୋଇନଥିବା ତଥ୍ୟ ସାମ୍ନାକୁ ଆସିଛି । ବିଶେଷକରି ଗଞ୍ଜାମ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ବ୍ଲକ୍‌ରେ ବଦଳି ଆବେଦନ ଲମ୍ବିଥିବା ଜଣାପଡ଼ିଛି । ରାୟଗଡ଼ାର କାଶୀପୁର ବ୍ଲକ୍‌ରେ ୯୭ଟି ଆବେଦନ ମଧ୍ୟରୁ କେବଳ ୭ଟି ଫରୱାର୍ଡ ହୋଇଥିବାବେଳେ ଅନ୍ୟାନ୍ୟ ଅନେକ ବ୍ଲକ୍‌ରେ ଶୂନ୍ୟ ଫରୱାର୍ଡିଂ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)