ରାଜଧାନୀରେ ଧଳା ଜହରର ବଡ଼ ନେଟୱର୍କର ପର୍ଦ୍ଦାଫାସ! ସରକାରୀ ଆପାର୍ଟମେଣ୍ଟରେ ଚଢ଼ାଉ, ବାପା-ପୁଅ ଅଟକ

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଥରେ ଧଳା ଜହର କାରବାରର ଏକ ବଡ଼ ନେଟୱର୍କର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ୱରର ମଇଁଷିଖାଲ ଅଞ୍ଚଳ ନିକଟସ୍ଥ ଏକ ସରକାରୀ ଆପାର୍ଟମେଣ୍ଟରେ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣା ରାଜଧାନୀରେ ବେଆଇନ ନିଶା କାରବାରକୁ ନେଇ ପୁଣି ଚିନ୍ତା ବଢ଼ାଇଛି।

ଚଢ଼ାଉ ବେଳେ ଅବକାରୀ ବିଭାଗ ବାପା ବିଜୟ ମହାନ୍ତି ଓ ପୁଅ ଓମ ମହାନ୍ତିଙ୍କୁ ଅଟକ ରଖି ମାରାଥନ ଜେରା କରୁଛି। ଘର ତଲାସି ସମୟରେ ବହୁ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ବେଳେ, ଘଟଣାସ୍ଥଳରେ ଥିବା ଏକ ଲକ୍ଜୁରୀ କାରକୁ ମଧ୍ୟ ଖାନତଲାସୀ କରାଯାଉଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ନିଜ ଘରଠାରୁ ପ୍ରାୟ ୩ କିଲୋମିଟର ଦୂରରେ ବ୍ରାଉନସୁଗାର ମହଜୁଦ ରଖି ସେଠାରୁ ବେଆଇନ ଭାବେ ବିକ୍ରି କରୁଥିଲେ। ମଇଁଷିଖାଲ ନିକଟରେ ଥିବା ସରକାରୀ ଆପାର୍ଟମେଣ୍ଟକୁ ଡ୍ରଗ୍ସ କାରବାରର ଏକ ସୁରକ୍ଷିତ ଆଡ଼ା ଭାବେ ବ୍ୟବହାର କରାଯାଉଥିବା ସନ୍ଦେହ କରୁଛି ଅବକାରୀ ବିଭାଗ।

ବର୍ତ୍ତମାନ ଜବତ ହୋଇଥିବା ବ୍ରାଉନସୁଗାରର ପ୍ରକୃତ ପରିମାଣ, ଏହାର ବଜାର ମୂଲ୍ୟ ଏବଂ ଏହି ବେଆଇନ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଅବକାରୀ ବିଭାଗ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣା ପରେ ରାଜଧାନୀରେ ନିଶା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ତାହାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ, ତଦନ୍ତରୁ ଆଗକୁ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)