ଅଣସରର ତ୍ରୟୋଦଶ ଦିନରେ ଅଲାରନାଥ ପୀଠରେ ଅସମ୍ଭାଳ ଭିଡ଼; ଭୋର ୩ଟାରୁ ଭକ୍ତଙ୍କ ସୁଅ, କିଲୋମିଟର ଲମ୍ବା ଧାଡ଼ିରେ ଦର୍ଶନ

ଅକ୍ଷର ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ବିରାଜମାନ ଥିବାବେଳେ ଭକ୍ତଙ୍କ ଆସ୍ଥା ଓ ଭକ୍ତିର କେନ୍ଦ୍ର ପାଲଟିଛି ବ୍ରହ୍ମଗିରିର ପ୍ରସିଦ୍ଧ ଶ୍ରୀ ଅଲାରନାଥ ପୀଠ। ଅଣସର ଦର୍ଶନର ତ୍ରୟୋଦଶ ଦିନରେ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଭୋରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବାବେଳେ ସମଗ୍ର ପୀଠ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାରେ ଉତ୍ସବମୁଖର ହୋଇଉଠିଛି। ରାତି ପ୍ରାୟ ୩ଟାରେ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ପାରମ୍ପରିକ ଭାବେ ମଙ୍ଗଳ ଆଳତି, ଅବକାଶ ନୀତି, ବେଶ ଏବଂ ଗୋପାଳ ବଲ୍ଲଭ ଭୋଗ ଆଦି ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ସମସ୍ତ ନୀତି ଶେଷ ହେବା ପରେ ସକାଳ ୬ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।

ତେବେ ଦର୍ଶନ ଆରମ୍ଭ ହେବା ପୂର୍ବରୁ ହିଁ ମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ରାତି ୩ଟାରୁ ଆରମ୍ଭ ହୋଇଥିବା ଭକ୍ତଙ୍କ ଭିଡ଼ ସମୟ ବଢ଼ିବା ସହ ଆହୁରି ବଢ଼ିଥିବାବେଳେ ଗର୍ଭଗୃହରୁ ଏକ କିଲୋମିଟରରୁ ଅଧିକ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଧୈର୍ଯ୍ୟର ସହ ଧାଡ଼ିରେ ରହି ପ୍ରଭୁଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ସମଗ୍ର ଅଞ୍ଚଳ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଦର୍ଶନକୁ ସୁଚାରୁ କରିବା ପାଇଁ ବହୁ ସଂଖ୍ୟକ ପୁଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ଥିବା ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନର ବିଶେଷ ଧାର୍ମିକ ମହତ୍ତ୍ୱ ରହିଥିବାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ବ୍ରହ୍ମଗିରିକୁ ଛୁଟିଆସୁଛନ୍ତି। ଅଣସରର ତ୍ରୟୋଦଶ ଦିନରେ ଏହି ଭକ୍ତ ସମାଗମ ଆହୁରି ବୃଦ୍ଧି ପାଇଥିବାରୁ ସମଗ୍ର ଶ୍ରୀ ଅଲାରନାଥ ପୀଠ ଏବେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହରେ ଝଲସି ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial