ମୌସୁମୀର ତାଣ୍ଡବ: ଦେଶର ବିଭିନ୍ନ ରାଜ୍ୟରେ ବଜ୍ରାଘାତ ଓ ବନ୍ୟାରେ ଜୀବନହାନି, ନଦୀ ଫୁଲିଲା-ରାଫ୍ଟିଂ ବନ୍ଦ

ଅକ୍ଷର ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ସାରା ଦେଶରେ ବର୍ଷାର ପ୍ରକୋପ ବଢ଼ିଛି। ପ୍ରବଳ ବର୍ଷା, ବଜ୍ରାଘାତ ଓ ନଦୀରେ ବଢ଼ୁଥିବା ଜଳସ୍ତର ଯୋଗୁଁ ଏକାଧିକ ରାଜ୍ୟରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମଧ୍ୟପ୍ରଦେଶ, ବିହାର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରୁ ଜୀବନହାନି ସହ ଅନେକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ହରଦା ଓ ଖରଗୋନ୍ ଜିଲ୍ଲାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଚମ୍ପା ନଦୀର ପ୍ରବଳ ସ୍ରୋତରେ ଦୁଇ ଜଣ ଯୁବକ ବାଇକ୍ ସହ ଭାସିଯାଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜିବାରେ ଲାଗିଛି। ବିହାରରେ ବଜ୍ରାଘାତ ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଛି।ଲଗାତାର ବର୍ଷା ସହ ବଜ୍ରପାତ ଘଟଣା ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଉତ୍ତର ପ୍ରଦେଶର ସୋନଭଦ୍ରରେ ପିକନିକ୍ ପାଇଁ ଯାଇଥିବା ତିନି ଜଣ ବର୍ଷା ଯୋଗୁଁ ଡ୍ରେନର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅନ୍ୟ ଜଣଙ୍କ ସମ୍ପର୍କରେ ଖୋଜାଖୋଜି ଚାଲିଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡେରାଡୁନର ରିସ୍ପନା ନଦୀ ଉଫାନରେ ରହିଛି। ସେହିପରି ରୁଦ୍ରପ୍ରୟାଗରେ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇ ସଙ୍ଗମର ପାହାଚଗୁଡ଼ିକ ପାଣିରେ ବୁଡ଼ିଯାଇଛି।

ଗଙ୍ଗା ନଦୀର ଜଳସ୍ତର ବଢ଼ିବା ସହ ଋଷିକେଶରେ ଜୁଲାଇ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଫ୍ଟିଂ ଉପରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଏହି ସେବା ବନ୍ଦ ରହିଛି। ମଙ୍ଗଳବାର ଅପରାହ୍ଣରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ପ୍ରବେଶ କରିଛି। ଏହା ସହ ଦେଶର ୨୬ଟି ରାଜ୍ୟରେ ମୌସୁମୀ ସକ୍ରିୟ ହୋଇସାରିଛି। ଏହା ପୂର୍ବରୁ ଜୁନ୍ ୨୪ରେ ମଧ୍ୟପ୍ରଦେଶ ଓ ଗୁଜରାଟରେ ମୌସୁମୀ ପ୍ରବେଶ କରିଥିଲା।

ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି ଯେ, ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ସାମାନ୍ୟଠାରୁ କମ୍ ବର୍ଷା ହୋଇପାରେ। ତଥାପି କିଛି ଅଞ୍ଚଳରେ ସ୍ୱଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)