ଅଢେଇ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଗୋଟିଏ ଚପଲ ଓ DNA ରିପୋର୍ଟ ଖୋଲିଦେଲା ଯୁବରାଜ ସିଂଙ୍କ ହତ୍ୟାର ରହସ୍ୟ

ଅକ୍ଷର ବ୍ୟୁରୋ: ପ୍ରାୟ ଅଢେଇ ବର୍ଷ ଧରି ରହସ୍ୟ ଘେରରେ ରହିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ୨୦୨୩ ନଭେମ୍ବରରେ ଉଦଳା ଥାନା ଅଧୀନ ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରୁ ବୋରାରେ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ମୃତଦେହର ପରିଚୟ ଶେଷରେ ଯୁବରାଜ ସିଂ ବୋଲି ଚିହ୍ନଟ ହୋଇଛି। ଡିଏନଏ ପରୀକ୍ଷା, ବୈଜ୍ଞାନିକ ତଦନ୍ତ ଏବଂ ଘଟଣାସ୍ଥଳରୁ ମିଳିଥିବା ଏକ ପାଦର ଚପଲକୁ ଆଧାର କରି କ୍ରାଇମବ୍ରାଞ୍ଚ ଏହି ଜଟିଳ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଯୁବରାଜ ସିଂଙ୍କୁ ଗୁଣି-ଗାରେଡ଼ି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ବଡ଼ବିଲା ଗ୍ରାମ ହାଟକୁ ଡାକି ରଶି ସାହାଯ୍ୟରେ ବେକ ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଦୁଇଟି ବୋରାରେ ଭର୍ତ୍ତି କରି, ପାଞ୍ଚଟି ପଥର ବାନ୍ଧି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ।

ଘଟଣାଟି ୨୦୨୩ ନଭେମ୍ବର ୮ ତାରିଖରେ ସାମ୍ନାକୁ ଆସିଥିଲା। ସେତେବେଳେ ପୁଲିସ କୂଅରୁ ବୋରାରେ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିନଥିଲା। ତେବେ ଘଟଣାସ୍ଥଳରୁ ମିଳିଥିବା ଅଲଗା ଅଲଗା ଚପଲ ତଦନ୍ତର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ସୂତ୍ର ଥିଲା। ତିନି ମାସ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ଦୀର୍ଘ ଦିନ ତଦନ୍ତ ପରେ ମଧ୍ୟ କୌଣସି ସ୍ପଷ୍ଟ ସୁରାକ୍ ମିଳିନଥିଲା।

ତଦନ୍ତରେ ନୂଆ ମୋଡ଼ ଆସିଥିଲା ଗତ ଜୁନ୍ ୧୭ ତାରିଖରେ, ଯେତେବେଳେ ଶୁଖୁଆସାହି ଗ୍ରାମର ବିଶ୍ୱନାଥ ସିଂ ନିଜ ବାପାଙ୍କୁ ଖୋଜି ଥାନାରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ମିଳିଥିବା ଚପଲକୁ ସେ ନିଜ ବାପା ଯୁବରାଜ ସିଂଙ୍କର ବୋଲି ଚିହ୍ନଟ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଡିଏନଏ ନମୁନା ସଂଗ୍ରହ କରି ପରୀକ୍ଷା କରାଇବା ପରେ ମୃତଦେହର ପରିଚୟ ନିଶ୍ଚିତ ହୋଇଥିଲା ଏବଂ ତଦନ୍ତର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇଥିଲା।

କ୍ରାଇମବ୍ରାଞ୍ଚ ତଦନ୍ତରେ ବଣସାହି ଗ୍ରାମର ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଅଢେଇ ବର୍ଷ ପରେ ଗୋଟିଏ ଚପଲ ଏବଂ ଡିଏନଏ ରିପୋର୍ଟ ଆଧାରରେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial