ପିଆଜ ଦର ପୁଣି ଉପରମୁହାଁ! କିଲୋ ୬୦ ଟଙ୍କା, କେଉଁଠି ୭୦ ଛୁଇଁଲାଣି

ଭୁବନେଶ୍ୱର: ପୁଣି ଉପରମୁହାଁ ହୋଇଛି ପିଆଜ ଦର। ରାଜଧାନୀରେ ଖୁଚୁରା ବଜାରରେ ପିଆଜ କିଲୋଗ୍ରାମ୍ ପିଛା ୫ ଟଙ୍କା ବଢ଼ି ୬୦ ଟଙ୍କାରେ ପହଞ୍ଚିଛି। କେତେକ ସ୍ଥାନରେ ଏହା ୬୦ରୁ ୭୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଛି। ରାଜଧାନୀର କୁବେରପୁରୀ ପାଇକାରୀ ବଜାରରେ ପୂର୍ବରୁ ପିଆଜ କିଲୋଗ୍ରାମ୍ ପିଛା ୨୦ରୁ ୨୨ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା। ଏବେ ସେହି ପାଇକାରୀ ଦର ବଢ଼ି ୩୮ରୁ ୪୨ ଟଙ୍କା ମଧ୍ୟରେ ପହଞ୍ଚିଛି। ଫଳରେ ପାଇକାରୀ ବଜାରଠାରୁ ଖୁଚୁରା ବଜାର ପର୍ଯ୍ୟନ୍ତ ପିଆଜ ଦରରେ ବଡ଼ ଫରକ ଦେଖିବାକୁ ମିଳୁଛି। ପାଇକାରୀ ଦରକୁ ବିଚାରକୁ ନେଲେ ଖୁଚୁରା ଦର କୌଣସି ପରିସ୍ଥିତିରେ ୫୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ ବୋଲି ଖାଉଟିଙ୍କ ମତ। ହେଲେ ବାସ୍ତବ ଚିତ୍ର ଭିନ୍ନ। କେତେକ ଦୋକାନରେ ପିଆଜ କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ଏଭଳି ସ୍ଥିତିରେ ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ପ୍ରାୟ ୨୮ ଟଙ୍କା ପର୍ଯ୍ୟନ୍ତ ଫରକ ରହୁଥିବା ଅଭିଯୋଗ ହୋଇଛି। ଏହି ଦର ଫରକକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ପିଆଜ ଦର ଉପରେ ସରକାର ଓ ପ୍ରଶାସନର ନଜର ରହିବା ସହ ଖୁଚୁରା ବଜାରରେ ଦର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଚେତନ ଖାଉଟିମାନେ ମତ ଦେଇଛନ୍ତି। ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କାହିଁକି ରହୁଛି, ତାହାର ଯାଞ୍ଚ ସହ ବଜାର ଉପରେ ନିୟମିତ ତଦାରଖ କରିବାକୁ ଦାବି ହୋଇଛି।ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବା ଦ୍ୱାରା ସିଧାସଳଖ ଭାବେ ସାଧାରଣ ଖାଉଟିଙ୍କ ଘରୋଇ ବଜେଟ୍‌ ପ୍ରଭାବିତ ହେଉଥିବାରୁ ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial