ଅକ୍ଷର ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି । ମେ ୧୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବା ନେଇ ପାଣିପାଗ ବିଭାଗର ଆକଳନ । ତେବେ ବର୍ଷା ପ୍ରଭାବ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି କମ୍ ରହିଛି । ଆଜି ପାଣିପାଗ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ଝଡ଼ବର୍ଷା ନେଇ ଆଲର୍ଟ କରାଯାଇଛି । ସେଥି ମଧ୍ୟରୁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ସହ ୫୦ ରୁ ୬୦ କିମି ବେଗର ପବନ ବହିପାରେ । ସୁନ୍ଦରଗଡରେ କୁଆପଥର ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
ବାକି ସବୁ ଜିଲ୍ଲାରେ ବର୍ଷା, ଘଡ଼ଘଡି ସହ ବିଜୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ଅଛି । ୬ ଓ ୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ନେଇ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୮, ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଆଶଙ୍କା ରହିଛି ।















Leave a Reply