ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଭାବବିହ୍ୱଳ ଓ ପ୍ରେରଣାଦାୟକ ସମ୍ବୋଧନ ଦେଇଛନ୍ତି। ନିଜ ଜନ୍ମମାଟି ଏବଂ ଶ୍ୱଶୁରଘର ଅଞ୍ଚଳରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ତାଙ୍କ ଛୋଟ ଗାଁ ପାହାଡ଼ପୁରକୁ ପ୍ରଧାନମନ୍ତ୍ରୀଙ୍କ ଆଗମନ ସମଗ୍ର ଅଞ୍ଚଳ ପାଇଁ ଏକ ଐତିହାସିକ ଓ ଗର୍ବର ମୁହୂର୍ତ୍ତ।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମର୍ପଣ ଓ ଭଲପାଇବା ପାଇଁ ସେ କୃତଜ୍ଞ। ଜନଜାତି ସମାଜର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କଲ୍ୟାଣକାରୀ ଯୋଜନା ଓ ଉପହାର ଦେଇଛନ୍ତି, ଯାହା ଦ୍ୱାରା ଆଦିବାସୀ ଅଞ୍ଚଳର ଲୋକମାନେ ବ୍ୟାପକ ଭାବେ ଉପକୃତ ହେବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନରେନ୍ଦ୍ର ମୋଦୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ଯାହା ଦେଶର ବିକାଶ ଓ ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି କରିଛି।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସମୟରେ ଭାରତ କେବଳ ନିଜ ନାଗରିକଙ୍କୁ ନୁହେଁ, ବରଂ ବିଶ୍ୱର ଅନେକ ଦେଶକୁ ମଧ୍ୟ ଟୀକା ଯୋଗାଇଥିଲା। ଏହି ପଦକ୍ଷେପ ଫଳରେ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା ପାଇଥିଲା ଏବଂ ଭାରତର ମାନବିକ ଦୃଷ୍ଟିକୋଣକୁ ସାରା ବିଶ୍ୱ ଅନୁଭବ କରିଥିଲା। ସେ ଆହୁରି କହିଥିଲେ ଯେ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ସଠିକ୍ ନୀତି ନିର୍ଦ୍ଧାରଣ ଯୋଗୁଁ ଆଜି ବିଶ୍ୱ ମଞ୍ଚରେ ଭାରତର ସମ୍ମାନ ଅଧିକ ସୁଦୃଢ଼ ହୋଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ ଦୃଷ୍ଟିକୋଣକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ଆସୁଛି ଏବଂ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାମ କରୁଥିବା ବେଳେ ଜନଜାତି ଅଞ୍ଚଳର ବିକାଶକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ନିଜ ସମ୍ବୋଧନରେ ରାଷ୍ଟ୍ରପତି ଜନଜାତି ସମାଜର ସରଳ ଜୀବନ, ପ୍ରକୃତି ସହ ସମ୍ପର୍କ ଏବଂ ସାମାଜିକ ମୂଲ୍ୟବୋଧର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜନଜାତି ସମାଜର ଜୀବନଶୈଳୀ ଓ ପରିବେଶ ପ୍ରତି ସମ୍ମାନରୁ ଅନ୍ୟ ସମାଜ ମଧ୍ୟ ଅନେକ କିଛି ଶିଖିପାରିବ।












Leave a Reply