ଅକ୍ଷର ବ୍ୟୁରୋ: ନୂଆବର୍ଷରେ ବି ଥରିବ ରାଜ୍ୟ। ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ। ରବିବାର ୧୫ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ୩.୬ ଡିଗ୍ରୀରେ ଥରିଥିଲା ଓଡ଼ିଶା। ସେମିଳିଗୁଡ଼ାରେ ୫.୨, ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୬.୪, ଝାରସୁଗୁଡ଼ାରେ ୬.୫, ରାଉରକେଲାରେ ୭, ଅନୁଗୁଳରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୬ ଡିଗ୍ରୀ କମ୍ ରହିଥିଲା। ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୪.୮, ଫୁଲବାଣୀରେ ୧.୮, କଟକରେ ୧.୫,ଭବାନୀପାଟଣାରେ ୧.୪ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍ ରହିଥିଲା। ଝାରସୁଗୁଡ଼ାରେ ଡିସେମ୍ବର ମାସର ଚତୁର୍ଥ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
ମଙ୍ଗଳବାର ରାତିରେ ଫୁଲବାଣୀ ଓ କୋରାପୁଟରେ ପାରଦ ୭ ଡିଗ୍ରୀ ରହିବ। ଅନୁଗୁଳ ଓ ରାଉରକେଲାରେ ୮ ଡିଗ୍ରୀ, ନବରଙ୍ଗପୁରରେ ୯ ଡିଗ୍ରୀ, ସୋନପୁର, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ରହିପାରେ। ନୂଆବର୍ଷ ଦିନ ବା ୧ ତାରିଖରେ ଫୁଲବାଣୀରେ ରାତି ତାପମାତ୍ରା ୮ଡିଗ୍ରୀ, ଅନୁଗୁଳ, ରାଉରକେଲା ଓ କୋରାପୁଟରେ ୯ ଡିଗ୍ରୀ ରହିପାରେ। ନବରଙ୍ଗପୁରରେ ୧୦ ଡିଗ୍ରୀ, ବଲାଙ୍ଗିର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୧ ଡିଗ୍ରୀ ରହିପାରେ। ବୁଧବାର ସୁନ୍ଦରଗଡ଼, କନ୍ଧମାଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘନରୁ ଅତି ଘନ କୁହୁଡ଼ି ଦେଖା ଦେଇପାରେ। ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର କୁହଡ଼ି ରହିବ। ୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ଅତି କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।












Leave a Reply