ଆଜି ବିଶ୍ୱ ଛେନାପୋଡ଼ ଦିବସ; ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ଏହି ମିଠା ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି ।

ଅକ୍ଷର ବ୍ୟୁରୋ: ଆଜି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ମିଠା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି । ନୟାଗଡ଼ର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ନେଇ ସବୁଠି ଚର୍ଚ୍ଚା । ଏହାର ସ୍ୱାଦ ପ୍ରତ୍ୟେକ ବ୍ୟକ୍ତିକୁ ଆଘ୍ରାଣ କରିଥିବାବେଳେ ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ ବୋଲି ଅନେକ ମତ ଦେଇଛନ୍ତି । 

ଚଳିତ ବର୍ଷ ଏହି ଛେନାପୋଡ଼ ଦିବସକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯାଉଛି । ଗତବର୍ଷ ଏହି ଦିବସକୁ ହେଲପିଂ ହ୍ୟାଣ୍ଡ ନାମକ ଏକ ସଂସ୍ଥା ଏହାକୁ ପାଳନ କରିଥିଲା । ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ନୟାଗଡ଼ ଦଶପଲ୍ଲାର ସ୍ୱର୍ଗତ ବିଦ୍ୟାଧର ସାହୁ ହେଉଛନ୍ତି ଛେନାପୋଡ଼ର ଅସଲ ସ୍ରଷ୍ଟା । ଯିଏ କି ସେତେବେଳେ ଫ୍ରିଜର ସୁବିଧା ନଥିବାରୁ ବଳକା ଛେନାରେ ଚିନି ଓ ସୁଜି ମିଶାଇ କଦଳୀ ପତ୍ରରେ ଗୁଡ଼ାଇ ଚୁଲି ନିଆଁରେ ପୋଡ଼ି ଦେଉଥିଲେ । ଯାହା ଖୁବ୍ ସୁସ୍ବାଦ ଲାଗୁଥିଲା । ଏହି ପ୍ରସ୍ତୁତିରୁ ଜନ୍ମ ନେଇଥିଲା ‘ଛେନାପୋଡ଼’।

ସେହି ଛେନାପୋଡ଼କୁ ନେଇ ବିଦ୍ୟାଧରଙ୍କ ମଝିଆ ପୁଅ ସୁଦର୍ଶନ ସାହୁ ନୟାଗଡ଼ କଚେରୀ ବଜାରରେ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ଏହା ଘରେ ଘରେ ପରିଚିତ ହେଲା । ୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ୍ ୧୧କୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରାଗଲା । କିନ୍ତୁ ଦଶପଲ୍ଲାର ବୁଦ୍ଧିଜୀବୀ ଓ କିଛି ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ସେମାନଙ୍କ କହିବା କଥା ଯଦି ବିଦ୍ୟାଧର ସାହୁ ଛେନାପୋଡ଼ର ଅସଲ ସ୍ରଷ୍ଟା, ତେବେ ତାଙ୍କ ପୁଅଙ୍କ ଜନ୍ମଦିନରେ ଏହି ଦିବସ କାହିଁକି ପାଳନ ହେବ । ବିଦ୍ୟାଧର ସାହୁଙ୍କ ତିରୋଧାନ ଦିବସ ଡିସେମ୍ବର ୩୧କୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି । ଏହି ପାରିବାରିକ ଓ ସାଂଗଠନିକ କଳହ ଯୋଗୁଁ ଛେନାପୋଡ଼ର ଜିଆଇ ଟ୍ୟାଗ୍ ମିଳିବାରେ ବିଳମ୍ବ ହେଉଥିବା ଆଶଙ୍କା କରାଯାଉଛି । ସେପଟେ ନୟାଗଡ଼ର ଛେନା ବ୍ୟବସାୟୀ ସଂଘ ଦୃଢ଼ ଦାବି କରିଛି ଯେ, ଛେନାପୋଡ଼କୁ ତୁରନ୍ତ ଜିଆଇ ଟ୍ୟାଗ୍ ମାନ୍ୟତା ଦିଆଯାଉ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)