ଅକ୍ଷର ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା କଥା ସ୍ୱୀକାର କରିଛନ୍ତି ସରକାର । ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ଚିତ୍ର ଉପସ୍ଥାପନ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସମଗ୍ର ରାଜ୍ୟରେ ମୋଟ ୭୪,୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ତେବେ ଦୁଃଖର ବିଷୟ ହେଉଛି, ସେଥିମଧ୍ୟରୁ ୨୦,୧୫୦ଟି କେନ୍ଦ୍ରର ନିଜସ୍ୱ କୋଠା ବା ଗୃହ ନାହିଁ । ନିଜସ୍ୱ ଘର ନଥିବାରୁ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଅସ୍ଥାୟୀ ବ୍ୟବସ୍ଥା ମଧ୍ୟରେ ପରିଚାଳିତ ହେଉଛି । ତଥ୍ୟ ମୁତାବକ, ୩,୮୯୦ଟି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ, ୧୦,୪୬୯ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ ଏବଂ ୪,୫୭୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରେ ଚାଲୁଛି ।
ତେବେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଗୃହହୀନ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି । ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କା ହିସାବରେ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମତୀ ପରିଡ଼ା ଗୃହକୁ ଅବଗତ କରାଇଛନ୍ତି ।












Leave a Reply